ଭାରତକୁ ନାଟୋ ସଦସ୍ୟ ମାନ୍ୟତା ଦେବାକୁ ଆମେରିକୀୟ ସାଂସଦଙ୍କ ଦାବି, ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଲେ

ଓ୍ଵାସିଂଟନ : ଭାରତକୁ ନାଟୋ ପ୍ଲସ୍‌ ଫାଇଭ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଆଇନରେ ସଂଶୋଧନ କରିବାକୁ ଆମେରିକା କଂଗ୍ରେସର ଜଣେ ପ୍ରଭାବଶାଳୀ ସଦସ୍ୟ ବ୍ରାଡ ସରମନ ଦାବି କରିଛନ୍ତି । ଆମେରିକା କଂଗ୍ରେସର ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବ୍ୟାପାର ସବକମିଟିର ସଭାପତି ଥିବା ବ୍ରାଡ ଭାରତକୁ ନାଟୋ ସଦସ୍ୟ ମାନ୍ୟତା ଦେବାକୁ ନ୍ୟାସନାଲ ଡିଫେନ୍ସ ଅଥରାଇଜେନ ଆଇନ (ଏନଡିଏଏ)ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ସହିତ ଆମେରିକାର ସାମରିକ ସଂପର୍କ ଘନିଷ୍ଠ ହୋଇଛି । ଭାରତ ଆମେରିକାଠାରୁ ସର୍ବାଧିକ ଯୁଦ୍ଧାସ୍ତ୍ର ଖରିଦ କରୁଛି । ଆମେରିକା ଭାରତ ସହିତ ସବୁଠାରୁ ଅଧିକ ଯୁଦ୍ଧାଭ୍ୟାସ କରୁଛି । ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଭାରତ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇପାରିବ ବୋଲି ସେ କହିଛନ୍ତି ।

୨୦୧୮ରେ ଆମେରିକା ଭାରତକୁ ଏକ ସ୍ୱତନ୍ତ୍ର ସହଯୋଗୀ ଦେଶ (ଏସଟିଏ-୧) ମାନ୍ୟତା ଦେଇଥିଲା । ଏପରି ମାନ୍ୟତା ସାଧାରଣତଃ ନାଟୋ ଦେଶମାନଙ୍କୁ ଦେଇଥାଏ । ଏପରି ମାନ୍ୟତାପ୍ରାପ୍ତ ଦେଶମାନଙ୍କୁ ସାଧାରଣତଃ ଆମେରିକା ଅତ୍ୟାଧୁନିକ ସାମରିକ ଓ ବେସାମରିକ ଉପକରଣ ଓ ଟେକନଲୋଜୀ ହସ୍ତାନ୍ତର କରିଥାଏ । ଏଣୁ ଭାରତକୁ ଏହି ମାନ୍ୟତା ମିଳିବା ପରେ ଆମେରିକା ଭାରତକୁ କେବଳ ଆଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଦେବନି, ସେଗୁଡ଼ିକର ଟେକନଲୋଜୀ ମଧ୍ୟ ହସ୍ତାନ୍ତର କରିବ ।

ସମ୍ବନ୍ଧିତ ଖବର