ନୂଆଦିଲ୍ଲୀ : ଭାରତକୁ ଲଢୁଆ ଡ୍ରୋନ ବିକ୍ରି ଲାଗି ଟ୍ରମ୍ପ ପ୍ରଶାସନ ମଂଜୁରୀ ଦେବା ଦକ୍ଷିଣ ଏସିଆର ସାମରିକ ଜଗତରେ ଏକ ବଡ଼ ଘଟଣା ବୋଲି କୁହାଯାଉଛି । କାରଣ ଭାରତ ଏହି ଡ୍ରୋନ ପାଇବା ପରେ ଏ ଅଂଚଳରେ ସାମରିକ ଭାରସାମ୍ୟ ଭାରତ ସପକ୍ଷକୁ ଚାଲିଆସିବ ।ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ । ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ । ଡ୍ରୋନ ପଠାଇ ଏହି କାମ କରିହେବ ।
ଆହୁରି ମଧ୍ୟ ଚୀନ ପାଖରେ ଡ୍ରୋନ ଥିଲେ ମଧ୍ୟ ଆମେରିକାର ଶକ୍ତିଶାଳୀ ପ୍ରିଡେଟର ଡ୍ରୋନ ତୁଳନାରେ ତାହା ତିଷ୍ଠି ପାରିବ ନାହିଁ । ଏହି କାରଣରୁ ଭାରତକୁ ଲଢୁଆ ଡ୍ରୋନ ବିକ୍ରି ପ୍ରସ୍ତାବ ଉପରେ ପାକିସ୍ତାନ ଓ ଚୀନ ସତର୍କ ଦୃଷ୍ଟି ରଖିଛନ୍ତି । ଭାରତ ଆମେରିକାଠାରୁ ସି ଗାର୍ଡିଆନ ଡ୍ରୋନ କିଣିବାକୁ ଯୋଜନା କରୁଛି । ଏହା ସହିତ ଏମକ୍ୟୁ-୯ ରିପର ଡ୍ରୋନ ମଧ୍ୟକିଣିବାକୁ ମଧ୍ୟ ଯୋଜନା କରୁଛି । ସି ଗାର୍ଡିଆନ ହେଉଛି ଆମେରିକାର ଲଢୁଆ ପ୍ରିଡେଟର ଡ୍ରୋନର ନାଭାଲ ଭର୍ସନ । ଏଥିରେ ଅତି ଉଚ୍ଚରୁ ପ୍ରହରା ଦେଇପାରିବ ଓ ତାସହିତ ଏଥିରେ ହେଲଫାୟାର କ୍ଷେପଣାସ୍ତ୍ର ଓ ଲେଜର ବମ ଖଞ୍ଜି ହେବ। ଯଦି ଭାରତ ଏହି ଡ୍ରୋନ ପାଇବାରେ ସକ୍ଷମ ହୁଏ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ ।