୨୦୨୦ ସୁଦ୍ଧା ଭାରତ ହାତକୁ ଆସିବ ଏସ-୪୦୦ ମିସାଇଲ ସିଷ୍ଟମ୍‌

ନୂଆଦିଲ୍ଲୀ : ଭାରତ ଋଷିଆଠାରୁ କିଣିବାକୁ ଥିବା ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ୍ସର ପ୍ରଥମ ଡେଲିଭରୀ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅର୍ଥାତ ୨୦୨୦ ସୁଦ୍ଧା ହେବ ବୋଲି ଋଷିଆର ଫେଡେରାଲ ସର୍ଭିସ ଫର ମିଲିଟାରୀ ଟେକନିକାଲ କୋପରେସନର ମୁଖ୍ୟ ଡିମିଟ୍ରି ସୁଗାଏଭ ଏହି ସୂଚନା ଦେଇଛନ୍ତି । ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ଗତ ଭାରତ ଗ୍ରସ୍ତ ସମୟରେ ୫ ସେଟ୍‌ ଏସ-୪୦୦ ମିସାଇଲ ଯୋଗାଣ ପାଇଁ ଚୁକ୍ତି ହୋଇଥିଲା । ଏଗୁଡିକର ମୋଟ ମୂଲ୍ୟ ପ୍ରାୟ ୫ ବିଲିୟନ ଡଲାର ହେବ ।

ଏହି ଏସ-୪୦୦ ଶତ୍ରପକ୍ଷର ଜେଟ, ମିସାଇଲ ଓ ଡ୍ରୋନକୁ ମାରି ଖସାଇଦେବ । ପ୍ରାୟ ୨୫୦ ମାଇଲ ଦୂରରୁ ଆସୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନକୁ ଠାବ କରି ଧ୍ୱଂସ କରିଦେବ । କେବଳ ସେତିକି ନୁହେଁ ଏହା ଏକାଥରକେ ୬ଟି ଟାର୍ଗେଟକୁ ଧ୍ୱଂସ କରିପାରିବ । ବିଶେଷକରି ଚୀନର ଅତ୍ୟାଧୁନିକ ବିମାନ ଜେ-୨୦କୁ ଆକାଶମାର୍ଗରେ ଧ୍ୱଂସ କରିଦେବାର କ୍ଷମତା ଏସ-୪୦୦ର ରହିଛି । ଏହାକୁ ନେଇ ଚୀନ ଚିନ୍ତିତ ହୋଇପଡିଛି । ଭାରତୀୟ ବାୟୁ ସେନା ମଧ୍ୟ ଚୀନ ଓ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲାଗି ଏହି ଏସ-୪୦୦ ଅତ୍ୟନ୍ତ ଜରୁରୀ ବୋଲି ସରକାରଙ୍କୁ ଜଣାଇଛି ।

ସମ୍ବନ୍ଧିତ ଖବର