ଭାରତ ଋଷିଆକୁ ୩ଟି ମିଗ-୨୧ ସୁପରସୋନିକ ବିମାନ ଉପହାର ଦେବ

ନୂଆଦିଲ୍ଲୀ : ଆସନ୍ତା ଗୁରୁବାରଠାରୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗ୍ରସ୍ତ ଆରମ୍ଭ ହେଉଛି । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ଅସ୍ତ୍ରଶସ୍ତ୍ର କିଣା ଚୁକ୍ତି ହୋଇପାରେ । କିନ୍ତୁ ଏଥର ଏକ ସ୍ୱତନ୍ତ୍ର ଘଟଣା ଘଟିବାକୁ ଯାଉଛି । ପ୍ରଥମ ଥର ପାଇଁ ଭାରତ ଋଷିଆକୁ ୩ଟି ଭାରତ ନିର୍ମିତ ମିଗ୍‌-୨୧ ଲଢୁଆ ବିମାନ ପ୍ରଦାନ କରିବ । ଏବେ ହିନ୍ଦୁସ୍ତାନ ଏରୋନୋଟିକ୍ସ (ହାଲ୍‌)ରେ ଏହି ବିମାନ ତିଆରି କରାଯାଉଛି । ପ୍ରଥମ ଥର ପାଇଁ ନେହେରୁଙ୍କ ସମୟରେ ୧୯୬୩ରେ ମିଗ-୨୧ ବାୟୁସେନାରେ ସାମିଲ ହୋଇଥିଲା । ବିଗତ ଅନେକ ଦଶନ୍ଧି ଧରି ଋଷିଆ ଜ୍ଞାନକୌଶଳରେ ନିର୍ମିତ ମିଗ୍‌-୨୧ ଭାରତୀୟ ବାୟୁସେନାର ମେରୁଦଣ୍ଡ ରହିଆସିଥିଲା । ଏବେ ଭାରତୀୟ ବାୟୁସେନାରେ ୧୨୦ଟି ମିଗ-୨୧ ରହିଛି । ତେବେ ଆସନ୍ତା ୨୦୨୧-୨୨ ସୁଦ୍ଧା ଭାରତ ନିଜର ବାୟୁସେନାରୁ  ପର୍ଯ୍ୟାୟକ୍ରମେ ଏଗୁଡ଼ିକୁ ପ୍ରତ୍ୟାହାର କରିନେବ । ଏହା ବଦଳରେ ଅତ୍ୟାଧୁନିକ ସୁଖୋଇ ଓ ଫ୍ରାନ୍ସ ନିର୍ମିତ ରାଫେଲ ବିମାନ ବାୟୁସେନାର ମୁଖ୍ୟ ଲଢୁଆ ବିମାନ ହେବ । ଋଷିଆ ଗତ ୧୯୮୫ରୁ ମିଗ୍‌-୨୧ ବିମାନ ତିଆରି କରିବା ବନ୍ଦ କରିଦେଇଛି ।

ସମ୍ବନ୍ଧିତ ଖବର