ହାରି ଥିବା ବାଜି ପୁଣି ଜିତିଲା ଭାରତ, ସାମରିକ ଘାଟି ପ୍ରତିଷ୍ଠା ପାଇଁ ସିସିଲ୍ସ ରାଜି

ନୂଆଦିଲ୍ଲୀ : ହାରିଥିବା ବାଜି ପୁଣି ଜିତିଲା ଭାରତ । ଭାରତ ମହାସାଗରୀୟ ଦେଶ ସିସିଲ୍ସରେ ଏକ ସାମରିକ ଘାଟି ପ୍ରତିଷ୍ଠା ପାଇଁ ପୁଣି ଥରେ ରାଜି ହୋଇଛନ୍ତି ସେଠାକାର ସରକାର । ଏହି ନୌସେନା ଘାଟି ପ୍ରତିଷ୍ଠା ପାଇଁ ଭାରତ ଗତ ୨୦୧୫ରୁ ଉଦ୍ୟମ କରିଆସୁଛି । ଏଥିପାଇଁ ସିସିଲ୍ସ ସରକାର ମଧ୍ୟ ଭାରତ ସହ ରାଜିନାମା କରିଥିଲା । କିନ୍ତୁ ଗତ ଦୁଇ ମାସ ତଳେ ସିସିଲ୍ସ ହଠାତ ଏହି ଚୁକ୍ତିରୁ ଓହରି ଯାଇଥିଲା । ବିରୋଧୀ ଦଳର ଚାପ ଯୋଗୁଁ ସେଠାକାର ସରକାର ଏହି ଚୁକ୍ତିରୁ ଓହରି ଥିବା କୁହାଯାଉଥିଲେ ମଧ୍ୟ ଏଥିରେ ଚୀନର ଚାପ ଥିଲା ବୋଲି ଜଣାପଡିଥିଲା । କିନ୍ତୁ ଏବେ ପୁଣି ଏହି ଦେଶକୁ ରାଜି କରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏବେ ସିସିଲ୍ସର ରାଷ୍ଟ୍ରପତି ଡ୍ୟାନି ଫାଓରେ ଭାରତ ଗ୍ରସ୍ତରେ ଅଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଓ ଆଜମପ୍ସନ ଦ୍ୱୀପରେ ପ୍ରସ୍ତାବିତ ଏହି ପ୍ରକଳ୍ପକୁ ଆଗେଇ ନେବାକୁ ରାଜି ହୋଇଛନ୍ତି । ଉଭୟ ଦେଶର ଚିନ୍ତାକୁ ସମ୍ମାନ ଜଣାଇ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ଏହା ସହିତ ଭାରତ ସିସିଲ୍ସକୁ ୧୦୦ ନିୟୁତ ଡଲାରର ଏକ ଋଣ ଦେବାକୁ ଘୋଷଣା କରିଛି ।

ସୂଚନାଯୋଗ୍ୟ ଯେ ଭାରତକୁ ଘେରିବାକୁ ଚୀନ ଭାରତ ମହାସାଗରୀୟ ଅଂଚଳରେ ନିଜର ସାମରିକ ଘାଟି ସଂଖ୍ୟା ବଢାଇଚାଲିଛି । ପାକିସ୍ତାନର ଗ୍ଵାଦର, ଶ୍ରୀଲଙ୍କାର ହମ୍ବନତୋଟା, ମାଳଦ୍ୱୀପ, ଉତ୍ତର-ପୂର୍ବ ଆଫ୍ରିକାର ଦିଜିବୋତି ଆଦି ସ୍ଥାନରେ ଚୀନ ନିଜର ଘାଟି ପ୍ରତିଷ୍ଠା କରିଛି । ଚୀନର ପ୍ରଭାବକୁ ରୋକିବାକୁ ଭାରତ ମଧ୍ୟ କେତୋଟି ଦେଶରେ ଘାଟି ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛି । ସେସବୁ ସ୍ଥାନ ହେଉଛି ଭାରତ ମହାସାଗରୀୟ ଦେଶ ସିସିଲ୍ସ ଓ ଉପସାଗରୀୟ ଦେଶ ଓମାନ । ସେହିପରି ଦକ୍ଷିଣପୂର୍ବ ଏସିଆ ଦେଶ ଇଣ୍ଡୋନେସିଆର ମାଲାକ୍କା ରେ ମଧ୍ୟ ଭାରତ ଏକ ଘାଟି ନିର୍ମାଣ କରିବ ।

ସମ୍ବନ୍ଧିତ ଖବର