ଅଗ୍ନି କ୍ଷେପଣାସ୍ତ୍ରର ରେଞ୍ଜକୁ ୮ ହଜାର କିଲୋମିଟରକୁ ବୃଦ୍ଧି କରିବାକୁ ଭାରତର ଯୋଜନା, ଚୀନ ଛାନିଆ 

ଭୁବନେଶ୍ୱର : ଦେଶର ସବୁଠୁ ଶକ୍ତିଶାଳୀ ତଥା ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ ର ଆଜି ସଫଳ ପରୀକ୍ଷଣ ହୋଇଛି । ପ୍ରାୟ ୫ ହଜାର କିଲୋମିଟର ମାରକ କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରକୁ  ଓଡ଼ିଶା ଧମରାସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରର ରେଞ୍ଜ ଭିତରେ ସମଗ୍ର ପାକିସ୍ତାନ, ମଧ୍ୟ ଏସିଆ, ଆଫ୍ରିକାର କିଛି ଅଂଶ ଓ ଚୀନର ଏକ ବଡ଼ ଅଂଚଳ ଆସୁଛି । ଏହାକୁ ନେଇ ଚୀନ ଚିନ୍ତାରେ ଅଛି । ଚୀନ ଚିନ୍ତାର ଆଉ ଏକ କାରଣ ହେଉଛି ଯେ ଭାରତ କେବଳ ଅଗ୍ନି-୫ର ସଫଳ ପରୀକ୍ଷଣରେ ସନ୍ତୁଷ୍ଟ ହୋଇ ବସିନାହିଁ । ଭାରତ ଏବେ ଅଗ୍ନିର ରେଞ୍ଜକୁ ପ୍ରାୟ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ବଢାଇବାକୁ କାର୍ଯ୍ୟ ଆରମ୍ଭ କରିଦେଇଛି । ଏପରି ହେଲେ ଅଗ୍ନି ରେଞ୍ଜରେ ସମଗ୍ର ଚୀନ ଆସିଯିବ । ଏହି କାରଣରୁ ଚୀନ ଅଗ୍ନିକୁ ନିଜର ସୁରକ୍ଷା ପାଇଁ ଏକ ବଡ଼ ବିପଦ ବୋଲି ମନେ କରୁଛି ।

ଆଜି ହୋଇଥିବା ପରୀକ୍ଷା  ଅଗ୍ନି-୫ର ଏକ ପ୍ରି-ଇଣ୍ଡକ୍ସନ ଟେଷ୍ଟ ବୋଲି ମନେକରାଯାଉଛି । ଏହି ପ୍ରି-ଇଣ୍ଡକ୍ସନ ପରୀକ୍ଷଣ ପରେ ଆସନ୍ତା ବର୍ଷ ପ୍ରାରମ୍ଭରେ ଅଗ୍ନି ଭାରତୀୟ ସେନାର ଷ୍ଟ୍ରାଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛିି । ଏହି କ୍ଷେପଣାସ୍ତ୍ର  ଅଣୁଅସ୍ତ୍ର ବହନ କରିପାରିବ । ଏହା କ୍ଷେପଣାସ୍ତ୍ରର ରେଞ୍ଜରେ ସମଗ୍ର ଚୀନ, ୟୁରୋପ, ମଧ୍ୟଏସିଆ  ଓ ଆଫ୍ରିକାର କେତେକ ଅଂଚଳ ଆସୁଥିବାରୁ ଏହା ଭାରତର ଷ୍ଟ୍ରାଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ସାମିଲ ହେଲେ ଭାରତ ଶକ୍ତି ଅନେକ ପରିମାଣରେ ବୃଦ୍ଧି ପାଇବ ।

ସମ୍ବନ୍ଧିତ ଖବର