ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ : ଇମ୍ରାନଙ୍କୁ ଆମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାକୁ ଆମନ୍ତ୍ରଣ କରାଯିବ। ‘ଏସ୍‌ସିଓ-୨୦୨୦’ ଏଥର ଭାରତ ଆୟୋଜନ କରୁଛି ଏବଂ ଏଥିପାଇଁ ସମସ୍ତ ୮ ସଦସ୍ୟ ରାଷ୍ଟ୍ର ଏବଂ ୪ଟି ପର୍ଯ୍ୟବେକ୍ଷକ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରାଯିବ। ଆଜି ‌ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏସ୍‌ସିଓ ପ୍ରଧାନମନ୍ତ୍ରୀ ମାନଙ୍କ ବୈଠକରେ ଯୋଗ ଦେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଆମନ୍ତ୍ରଣ କରାଯିବ। କଶ୍ମୀର ପ୍ରସଙ୍ଗରେ ଭାରତ- ପାକିସ୍ତାନ ସଂପର୍କ ଅତ୍ୟନ୍ତ ତିକ୍ତ ପର୍ଯ୍ୟାୟରେ ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ କୂଟନୈତିକ ସଂପର୍କ ମଧ୍ୟ ହ୍ରାସ ପାଇଛି। ତେବେ ଚଳିତ ବର୍ଷ ଭାରତରେ ଏସ୍‌ସିଓ ସମ୍ମିଳନୀ ହେଉଥିବାରୁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ଆଗକୁ ବଢ଼ାଇବା ପାଇଁ ଏହା ଏକ ସୁଯୋଗ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି।

ଏସ୍‌ସିଓରେ ଥିବା ସଦସ୍ୟ ରାଷ୍ଟ୍ରମାନେ ହେଲେ ଭାରତ, ଚୀନ୍‌, ରୁଷ୍‌, ପାକିସ୍ତାନ, କଜାଖ୍‌ସ୍ତାନ, କିର୍ଗିଜ୍‌ସ୍ତାନ, ତାଜିକ୍‌ସ୍ତାନ ଏବଂ ଉଜ୍‌ବେକିସ୍ତାନ। ୪ ପର୍ଯ୍ୟବେକ୍ଷକ ରାଷ୍ଟ୍ରମାନେ ହେଲେ ଆଫଗାନିସ୍ତାନ, ଇରାନ୍‌, ବେଲାରୁସ୍‌ ଏବଂ ମଂଗୋଲିଆ। ଆଜି ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀ ସଂପର୍କରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ସୂଚନା ଦେଇ କହିଥିଲେ ଯେ ଇମ୍ରାନ୍‌ଙ୍କୁ ପାକିସ୍ତାନ ସରକାରର ମୁଖ୍ୟ ଭାବେ ଏହି ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ।

ସମ୍ବନ୍ଧିତ ଖବର