ସିଙ୍ଗାପୁରକୁ ନୌସେନା ସହାୟତା ଯୋଗାଇବ ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁରକୁ ନୌସେନା ସମ୍ପର୍କୀୟ ଅଭ୍ୟାସ ଏବଂ ପରିଚାଳନା ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତି କରୁଛି। ଏଥିପାଇଁ ଆଣ୍ଡାମାନ ଠାରେ ସତସତିକା ଗୁଳିଗୋଳା କ୍ଷେପଣ କରାଯିବ। ଗତ ୧୦ ବର୍ଷ ହେବ ଭାରତ ସିଙ୍ଗାପୁରକୁ ପଦାତିକ ଏବଂ ବାୟୁସେନା ସମ୍ପର୍କୀୟ ସମସ୍ତ ସହାୟତା ଯୋଗାଇ ଦେଇ ଆସୁଛି।

ମଙ୍ଗଳବାର ଦିନ ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରୀ ଏନ୍‌ଜି ଏଙ୍ଗ୍‌ ହେନ୍‌ ପଶ୍ଚିମବଙ୍ଗସ୍ଥିତ ବିମାନ ଆଡ୍ଡାରୁ ଆସି ନୂଆଦିଲ୍ଲୀ ଠାରେ ପହଞ୍ଚିଛନ୍ତି। ବୁଧବାର ଦିନ ସେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସାଉଥ୍‌ ବ୍ଲକ୍‌ ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ।

ଆଲୋଚନା ସମୟରେ ନୌସେନା ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରାଯିବାର କାର୍ଯ୍ୟକ୍ରମ ରହିଛି। ସିଙ୍ଗାପୁରରେ ସ୍ଥଳ ଏବଂ ଆକାଶରେ ସ୍ଥାନ ସଙ୍କଟ ଦେଖା ଦେଇଛି। ସେଥିପାଇଁ ସିଙ୍ଗାପୁର ତାହାର ଛୋଟ କିନ୍ତୁ ହାଇ-ଟେକ୍‌ ସେନା ବଳକୁ ଭାରତୀୟ ସାମରିକ ପ୍ରତିଷ୍ଠାନ ଦ୍ୱାରା ତାଲିମ କରାଇ ଆସୁଛି। ଏଥିପାଇଁ ୨୦୦୭ ଏବଂ ୨୦୦୮ରେ ସ୍ୱତନ୍ତ୍ର ରାଜିନାମା ସ୍ୱାକ୍ଷରିତ ହୋଇଥିଲା।

ଭାରତ ବାବିନା ଠାରେ ସିଙ୍ଗାପୁରକୁ ମେକାନାଇଜ୍‌ଡ୍‌ ଫୋର୍ସ, ଦେଓଲାଲି ରେଞ୍ଜ୍‌ ଠାରେ କମାଣ ଏବଂ କାଲାଇକୁଣ୍ଡା ଏୟାର୍‌ବେସ୍‌ରେ ଲଢୁଆ ବିମାନ ସଂକ୍ରାନ୍ତରେ ତାଲିମ ଦେଉଛି। ଦୁଇ ଦେଶ ନିମୟମିତ ଭାବେ ସିମ୍ବେକ୍ସ୍‍ ନାଭାଲ୍‌ ଓ୍ଵାର୍‌ଗେମ୍‌ କରାଉଛନ୍ତି। ଏହା ସମ୍ପୂର୍ଣ୍ଣ ନୌସେନାର ସାମରିକ ଅଭ୍ୟାସ।

ଚୀନ୍‌ ପ୍ରତି ହୁସିଆର୍‌ ରହିବାକୁ ‘ଆକ୍ଟ୍‌ ଇଷ୍ଟ୍‍’ ପଲିସି ଆଧାରରେ ଭାରତ ଗତ କେତେ ବର୍ଷ ହେବ ସିଙ୍ଗାପୁର, ଭିଏତନାମ, ମିଅାଁମାର, ମାଲେସିଆ ଏବଂ ଇଣ୍ଡୋନେସିଆ ପ୍ରଭୃତି ଆସିଆନ୍‌ ଦେଶମାନଙ୍କ ସହ ସାମରିକ ସମ୍ପର୍କ ନିବିଡ଼ କରି ଆସୁଛି।

ଭିଏତନାମର ନୌସେନାକୁ ଭାରତ ସାମରିକ ସାମଗ୍ରୀ ଯୋଗାଇବା ସହ ତାଲିମ ଦେଉଛି। ସୁଖୋଇ ଜେଟ୍‌ରେ ମଧ୍ୟ ସେମାନଙ୍କ ପାଇଲଟ୍‌ମାନଙ୍କୁ ଖୁବ୍‌ ଶୀଘ୍ର ତାଲିମ ଦେବାକୁ ପ୍ରସ୍ତୁତି କରୁଛି। ଏହାଛଡ଼ା ଭାରତ ଭିଏତନାମକୁ ସୁପର୍‌ସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ବ୍ରହ୍ମୋସ୍‌’ ଏବଂ ‘ଆକାଶ’ ଯୋଗାଇ ଦେଇଛି।

ସମ୍ବନ୍ଧିତ ଖବର