ଚୀନରୁ ଅଟୋମୋବାଇଲ ଉପକରଣ ଆମଦାନୀ କମାଇବ ଭାରତ

ନୂଆଦିଲ୍ଲୀ : ଚୀନ ସହ ତିକ୍ତତା ବଢୁଥିବାରୁ ଭାରତ ସରକାର ଚୀନ ସହ ବାଣିଜ୍ୟ କାରବାରକୁ ସୀମିତ କରିବାକୁ ବିଊିନ୍ନ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଚୀନ ମୋବାଇଲ ଆପକୁ ନିଷିଦ୍ଧ କରାଯିବା ପରେ ବିଭିନ୍ନ ଚୀନ କମ୍ପାନିଙ୍କୁ ଦିଆଯାଉଥିବା ଟେଣ୍ଡର ବାତିଲ କରିଛନ୍ତି । ଏବେ ଚୀନରୁ ଯାନବାହାନ ଯନ୍ତ୍ରାଂଶ, ଉପକରଣ ଆମଦାନୀକୁ ସୀମିତ କରିବାକୁ ସରକାର ବିଚାର କରୁଛନ୍ତି ।

ଶୁକ୍ରବାରଦିନ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଅଟୋମୋବାଇଲ ଶିଳ୍ପର ପ୍ରତିନିଧିମାନଙ୍କୁ ଡକାଇ ସେମାନଙ୍କ ସହ ଚୀନରୁ ଆମଦାନୀ ହ୍ରାସ ଉପରେ ଆଲୋଚନା କରିଥିଲେ । ସେମାନେ ଚୀନରୁ କେତେ ପରିମାଣରେ ଆମଦାନୀ କରୁଛନ୍ତି, କେତେ ନିବେଶ କରିଛନ୍ତି ସେ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟ ମାଗିଛି । ଏହା ପୂର୍ବରୁ ଗତ ୧୩ ତାରିଖରେ ମଧ୍ୟ ଗୋଏଲ ଅଟୋମୋବାଇଲ ସଂଘ ସିଆମ ସହ ଆଲୋଚନା କରିଥିଲେ । ଚୀନରୁ ଆମଦାନୀ ହ୍ରାସ କରି ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଦେବାକୁ ଶିଳ୍ପ ଜଗତକୁ କୁହାଯାଇଥିଲା । ସୂଚନାଯୋଗ୍ୟ ଯେ ଚୀନ ହେଉଛି ଭାରତର ବୃହତ୍ତମ ଅଟୋମୋବାଇଲ ଉପକରଣ, ଯନ୍ତ୍ରାଂଶ ରପ୍ତାନିକାରୀ ।

ଗତ କାଲି ଭାରତ ସରକାର ଚୀନ ବିରୁଦ୍ଧରେ ଆଉ ଏକ ପଦକ୍ଷେପ ନେଇଥିଲୋ । ଏହା ଫଳରେ ଏଣିକି ଚୀନ ନାଗରିକ, ବ୍ୟବସାୟୀ, ଶିଳ୍ପ ବିଶେଷଜ୍ଞ, ଶିକ୍ଷାବିତ ମାନଙ୍କୁ ଭିସା ଜାରି କରାଯିବା ପୂର୍ବରୁ ସୁରକ୍ଷା ସମ୍ପର୍କିତ କ୍ଲିୟରାନ୍ସ ଆବଶ୍ୟକ ପଡ଼ିବ । ପୂର୍ବରୁ ଏହି ନିୟମ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ଲାଗୁ ହେଉଥିଲା ।

ସମ୍ବନ୍ଧିତ ଖବର