ଆଗକୁ ଭାରତରେ ଗ୍ରୀଷ୍ମ ପ୍ରବାହ, ବାତ୍ୟା ସଂଖ୍ୟା ବଢ଼ିବ : ଆଇପିସିସି

ଭୁବନେଶ୍ବର : ବିଗତ କିଛି ବର୍ଷ ହେଲା ଓଡ଼ିଶା ନିୟମିତଭାବେ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟ ବି ନିୟମିତ ଭାବେ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଆଗକୁ ମଧ୍ୟ ଏଥିରୁ ନିସ୍ତାର ମିଳିବ ନାହିଁ, କାରଣ ଆଗକୁ ବାତ୍ୟା ସଂଖ୍ୟା ବଢ଼ିଚାଲିବ ବୋଲି ଆଇପିସିସି (ଇଣ୍ଟର-ଗଭରମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଟ୍ ଚେଞ୍ଜ ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଲଗାଣ ବର୍ଷା, ମରୁଡ଼ି ଓ ସାମୁଦ୍ରିକ ବାତ୍ୟା ନିୟମିତ ବ୍ୟାପାର ହୋଇଯାଇଛି । ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଭାରତୀୟ ଉପମହାଦେଶ ନିୟମିତଭାବେ ଗ୍ରୀଷ୍ମ ପ୍ରବାହ ଓ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେବ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଂଶ ଶତାବ୍ବୀର ଦ୍ବିତୀୟ ଭାଗରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ଆରମ୍ଭ କରିଛି । ତାପମାତ୍ରା ବୃଦ୍ଧି ଓ ଗ୍ରୀନହାଉସ ଗ୍ୟାସ ଏହାର କାରଣ । ମୌସୁମୀ ଦୁର୍ବଳ ହେବା କାରଣରୁ ଆଗାମୀ ଦିନରେ ଭାରତରେ ନିୟମିତଭାବେ ମରୁଡ଼ି ଦେଖାଯିବ ।  କେବଳ ଏତିକି ନୁହେଁ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମାଳୟର ଗ୍ଲାସିୟର ତରଳିବା ଯୋଗୁଁ ଏଥିରୁ ବାହାରିଥିବା ନଦୀଗୁଡ଼ିକ ଶୁଷ୍କ ହୋଇଯିବ ଓ ସମଗ୍ର ଉତ୍ତର ଭାରତରେ ଜଳ ସଂକଟ ଦେଖାଦେବ ବୋଲି ଆଇପିସିସି କହିଛି ।

ସମ୍ବନ୍ଧିତ ଖବର