ଦକ୍ଷିଣ ଚୀନ୍‌ ସାଗରକୁ ଯୁଦ୍ଧପୋତ ପଠାଇବ ଭାରତ, ଦୁଇ ମାସ ଧରି ପଇଁତରା ଓ ଯୁଦ୍ଧାଭ୍ୟାସ ଚାଲିବ

ନୂଆଦିଲ୍ଲୀ: ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ଭାରତ ୪ଟି ଶକ୍ତିଶାଳୀ ଯୁଦ୍ଧପୋତ ମୁତୟନ କରିବ ବୋଲି ଘୋଷଣା କରିଛି। ଦକ୍ଷିଣ ଚୀନ୍‌ ସାଗରରେ ଭାରତର ଏହି ଯୁଦ୍ଧପୋତଗୁଡ଼ିକ ପ୍ରାୟ ୨ ମାସ ଧରି ରହିବ ଏବଂ ଏହି ସମୟରେ ସାମୁଦ୍ରିକ ଗତିବିଧି ଉପରେ କଡ଼ା ନଜର ରଖିବା ସହ ବନ୍ଧୁରାଷ୍ଟ୍ରମାନଙ୍କ ସହିତ ସେଠାରେ ଯୁଦ୍ଧାଭ୍ୟାସ ମଧ୍ୟ କରିବ। ଭାରତୀୟ ଯୁଦ୍ଧପୋତ ଭିଏତନାମ, ଅଷ୍ଟ୍ରେଲିଆ, ମାଲେସିଆ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ସହ ଯୁଦ୍ଧାଭ୍ୟାସ କରିବ ବୋଲି ନୌସେନା ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ ଚୀନ୍‌ ସାଗରକୁ ନେଇ ଏହି ରାଷ୍ଟ୍ରମାନଙ୍କର ଚୀନ୍‌ ସହିତ ବିବାଦ ଚାଲିଥିବା ବେଳେ ଭାରତର ଏହି ପଦକ୍ଷେପ ଚୀନ୍‌ ପାଇଁ କଡ଼ା ଚେତାବନୀ ହେବ। ଭାରତ ଯେଉଁ ୪ଟି ଯୁଦ୍ଧପୋତ ପଠାଇବ ସେଥିରେ ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର, ଗାଇଡେଡ୍‌ ମିସାଇଲ୍‌ ଫ୍ରିଗେଟ୍‌ ଏବଂ ବୁଡ଼ା ଜାହାଜ ବିଧ୍ବଂସୀ ଯୁଦ୍ଧ ପୋତ ମଧ୍ୟ ସାମିଲ ଅଛି।

ତାଇୱାନ ଉପରେ ଯେତେବେଳେ ଚୀନ୍‌ର ଆକ୍ରମଣ ସଂଭାବନା ଅଧିକ ରହିଛି ସେହି ସମୟରେ ଭାରତୀୟ ଯୁଦ୍ଧ ପୋତ ଦକ୍ଷିଣ ଚୀନ୍‌ ସାଗରରେ ମୁତୟନ ହେଉଥିବାରୁ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି । ଚୀନ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ଦକ୍ଷିଣ ଚୀନ୍‌ ସାଗରକୁ ନେଇ ଏହର ସମସ୍ତ ପଡ଼ୋଶୀ ରାଷ୍ଟ୍ର ଚିନ୍ତାରେ ଥିବା ବେଳେ ଭାରତର ଏଭଳି ପଦକ୍ଷେପ ବନ୍ଧୁ ରାଷ୍ଟ୍ରମାନଙ୍କ ସହିତ ଏକଜୁଟତା ଦେଖାଇବା ଦିଗରେ ଏକ ବହୁତ ବଡ଼ ପଦକ୍ଷେପ।

ପୂର୍ବ ଲଦାଖ୍‌ରେ ଏବେ ଦାଦାଗିରି ଦେଖାଉଥିବା ଚୀନ୍‌କୁ ଏହାର ନିଜ ଅଂଚଳରେ ଚ୍ୟାଲେଂଜ କରିବା ପାଇଁ ଭାରତର ଏହି ରଣନୀତି ଭାରତର ସୁଦୃଢ଼ ସାମରିକ ନୀତିକୁ ଦର୍ଶାଉଛି। ସମଗ୍ର ଦକ୍ଷିଣ ଚୀନ୍‌ ସାଗରରେ ନିଜର ଏକଚାଟିଆ ଅଧିକାର ଦାବି କରୁଥିବା ଚୀନ୍‌ ଏହି ଅଂଚଳରେ ଅନ୍ୟ ରାଷ୍ଟ୍ରର ଉପସ୍ଥିତିକୁ ଜୋର୍‌ଦାର ବିରୋଧ କରୁଥିବା ବେଳେ ଭାରତର ଏହି ନୂଆ ରଣନୀତିକୁ ନେଇ ଚୀନ୍‌ କିଭଳି ଆଭିମୁଖ୍ୟ ଗ୍ରହଣ କରିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। ଗତବର୍ଷ ଗଲୱାନ୍‌ ଘାଟିରେ ଚୀନ୍‌ ସେନା ଭାରତୀୟ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଭାରତ ଚୀନ୍‌କୁ ନେଇ ନିଜର ସାମରିକ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି।

ସମ୍ବନ୍ଧିତ ଖବର