ଚୀନର ମୁକାବିଲା ପାଇଁ ଭାରତ ଗଠନ କରିବ ‘ରକେଟ୍ ଫୋର୍ସ’ : ଜେନେରାଲ ରାଓ୍ବତ

ନୂଆଦିଲ୍ଲୀ : ଦକ୍ଷିଣ ଏସିଆର ସୁରକ୍ଷା ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଆଫଗାନିସ୍ତାନରେ ପାକିସ୍ତାନ ଓ ଚୀନର  ପ୍ରଭାବ ବୃଦ୍ଧି ପାଇବା ପରେ ଭାରତ ଭବିଷ୍ୟତର ନିରାପତ୍ତା ଆହ୍ବାନ ପାଇଁ ନିଜକୁ ପ୍ରସ୍ତୁତ କରୁଛି । ବିଶେଷ କରି ଏକ ରକେଟ୍ ଫୋର୍ସ ଓ ଏକ ସାଇବର କମାଣ୍ଡ ନିର୍ମାଣ କରିବାକୁ ଭାରତ ସରକାର ବିଚାର କରୁଛନ୍ତି ।

ସିଡିଏସ୍ ଜେନେରାଲ ବିପିନ ରାଓ୍ବତ କହିଛନ୍ତି ଯେ ଦେଶର କ୍ଷେପଣାସ୍ତ୍ରଗୁଡ଼ିକର ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଏକ ରକେଟ୍ ଫୋର୍ସ ଗଠନ କରିବାକୁ ବିଚାର କରାଯାଉଛି ।

ଭାରତର ସବୁଠାରୁ ବଡ଼ ଶତ୍ରୁ ଚୀନ ପାଖରେ ଏକ ଅତ୍ୟାଧୁନିକ ରକେଟ୍ ଫୋର୍ସ ରହିଛି । ଚୀନର ବିଭିନ୍ନ କ୍ଷେପଣାସ୍ତ୍ରଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏହି ରକେଟ୍ ଫୋର୍ସ ଉପରେ ନ୍ୟସ୍ତ କରାଯାଇଛି ।  ଗତ ବର୍ଷ ଲଦାଖରେ ଭାରତ ସହ ଉତ୍ତେଜନା ବୃଦ୍ଧି ପାଇବା ପରେ ଚୀନ ନିଜର ଓ୍ବେଷ୍ଟର୍ଣ୍ଣ କମାଣ୍ଡ ସହ ନିଜର ରକେଟ୍ ଫୋର୍ସକୁ ମଧ୍ୟ ମୁତୟନ କରିଥିଲା ।

ଜେନେରାଲ ରାଓ୍ବତ କହିଛନ୍ତି ଯେ ଆଫଗାନିସ୍ତାନରେ ଚୀନର ପ୍ରଭାବ ବୃଦ୍ଧି ଭାରତ ପାଇଁ ଏକ ବଡ଼ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି । ଚୀନ ଜିହାଦୀ ଆତଙ୍କବାଦୀମାନଙ୍କୁ ପରୋକ୍ଷରେ ଭାରତ ବିପକ୍ଷରେ ବ୍ୟବହାର କରିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ନିଜର ସାମରିକ ଶକ୍ତିର ଆଧୁନୀକିକରଣ ଛଡ଼ା ଅନ୍ୟ ଉପାୟ ନାହିଁ ।

ସମ୍ବନ୍ଧିତ ଖବର