କର୍ତ୍ତାରପୁର କରିଡର ଚୁକ୍ତିରେ ବୁଧବାର ସ୍ୱାକ୍ଷର କରିବ ଭାରତ: ସ୍ୱାକ୍ଷର ପୂର୍ବରୁ କି ଅନୁରୋଧ କରି ଇସ୍ଲାମାବାଦ୍କୁ ପଠାଇଲା ପତ୍ର… ଜାଣନ୍ତୁ
ନୂଆଦିଲ୍ଲୀ: ଭାରତ କର୍ତ୍ତାରପୁର କରିଡର୍ ନେଇ ଆସନ୍ତା ବୁଧବାର ଦିନ ପାକିସ୍ତାନ ସହ ଚୂଡ଼ାନ୍ତ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ଅଛି ବୋଲି ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ତେବେ, କର୍ତ୍ତାରପୁର କରିଡର୍ ଚୁକ୍ତି ସ୍ୱାକ୍ଷର ପୂର୍ବରୁ ନୂଆଦିଲ୍ଲୀ ପକ୍ଷରୁ ଆଜି ଇସ୍ଲାମାବାଦ୍କୁ ଆଉ ଏକ ଅନୁରୋଧ ପତ୍ର ପଠାଯାଇଛି। ପଠା ଯାଇଥିବା ପତ୍ରରେ, କର୍ତ୍ତାରପୁର କରିଡର ଦେଇ କର୍ତ୍ତାରପୁର ଦରବାର ସାହିବ୍ ଗୁରୁଦ୍ୱାରାକୁ ଯିବାକୁ ଥିବା ତୀର୍ଥଯାତ୍ରୀମାନଙ୍କ ଠାରୁ ମୁଣ୍ଡପିଛା ୨୦ ଡଲାର ଲେଖାଁଏ ଆଦାୟ ପାଇଁ ପାକିସ୍ତାନ ଯେଉଁ ନିଷ୍ପତ୍ତି ନେଇଛି, ସେ ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଏହାକୁ ଶ୍ଲୁକମୁକ୍ତ ରଖିବା ପାଇଁ ଅନୁରୋଧ କରାଯାଇଛି। ଏଥିସହ ତୀର୍ଥଯାତ୍ରୀମାନଙ୍କର ଯାତ୍ରାକୁ ଭିସାମୁକ୍ତ ରଖିବା ପାଇଁ ମଧ୍ୟ ଭାରତ ଅନୁରୋଧ କରିଛି।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଇସ୍ଲାମାବାଦ୍କୁ ପଠା ଯାଇଥିବା ଏହି ପତ୍ରରେ କୁହାଯାଇଛି ଯେ କର୍ତ୍ତାରପୁର କରିଡର୍ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଥିବା ବେଳେ କର୍ତ୍ତାରପୁର ଦରବାର ସାହିବ୍ ଗୁରୁଦ୍ୱାରାକୁ ଯିବାକୁ ଥିବା ତୀର୍ଥଯାତ୍ରୀମାନଙ୍କ ଠାରୁ ମୁଣ୍ଡପିଛା ୨୦ ଡଲାର ଲେଖାଁଏ ଆଦାୟ ପାଇଁ ପାକିସ୍ତାନ ଅଡ଼ି ବସିବା ଯୁକ୍ତି ସମ୍ମତ ହେଉନାହିଁ। ତେଣୁ, ଇସ୍ଲାମାବାଦ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଏହି କରିଡରରେ ଯାତ୍ରାକୁ ଶ୍ଲୁକମୁକ୍ତ ରଖିବା ପାଇଁ ଆଉଥରେ ଅନୁରୋଧ କରିଛି ନୂଆଦିଲ୍ଲୀ।