କରୋନାର ମୁକାବିଲା ପାଇଁ ଭାରତରେ ଆରମ୍ଭ ହେବ ରକ୍ତ ପ୍ଲାଜମା ଚିକିତ୍ସା

ନୂଆଦିଲ୍ଲୀ : କରୋନା ଭାଇରସର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବାବେଳେ ଏହାର ମୁକାବିଲା କରିବା ପାଇଁ ଗବେଷକମାନେ ଭିନ୍ନ ପ୍ରକାରର ଅଭିନବ ଉପାୟ ଗ୍ରହଣ କରୁଛନ୍ତି । ଏପରି ଏକ ଉପାୟ ହେଉଛି ସୁସ୍ଥ ହୋଇଯାଇଥିବା ବ୍ୟକ୍ତିର ବ୍ଲଡ ପ୍ଲାଜମା ରୋଗୀ ଶରୀରରେ ପ୍ରବେଶ କରାଇବା । ଏପରି ପରୀକ୍ଷଣ ଭାରତରେ ମଧ୍ୟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ରୋଗୀଙ୍କ ଶରୀରରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଯାଇଥିବା ଲୋକମାନଙ୍କ ବ୍ଲଡ ପ୍ଲାଜମା ବ୍ୟବହାର କରିବା ଦିଗରେ କେରଳ ଆଗୁଆ ରହିଛି । ଏହି ପରୀକ୍ଷଣ ପାଇଁ କେରଳ ଏବେ ଭାରତୀୟ ଔଷଧ ନିୟନ୍ତ୍ରକଙ୍କ ଅନୁମତି ହାସଲ କରିଛି । ଭାରତରେ ଏହି ପ୍ରୟୋଗ ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ଖୁବଶୀଘ୍ର ଏକ ପ୍ରୋଟକଲ ଜାରି ହେବ ।
ଜଣେ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ତା ଶରୀରରେ କରୋନାକୁ ପ୍ରତରୋଧ କରିବାର କ୍ଷମତା ସୃଷ୍ଟି ହୋଇଯାଇଥାଏ । ଏଣୁ ଏହି କ୍ଷମତା ଥିବା ରକ୍ତକୁ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରୟୋଗ କଲେ ସଂପୃକ୍ତ ରୋଗୀର ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ । ଏହି ସିଦ୍ଧାନ୍ତକୁ ଭିତ୍ତି କରି ଏହି ପ୍ରୟୋଗ କରାଯାଉଛି ।
ପୂର୍ବରୁ ଅନ୍ୟ ମାରାତ୍ମକ ଭୁତାଣୁ ସଂକ୍ରମଣ ଯଥା ସାର୍ସ, ଏଚ୧ଏନ୧, ମର୍ସ ଆଦି ର ଚିକିତ୍ସା ପାଇଁ ଏହି ଉପାୟ ଗ୍ରହଣ କରି ସଫଳତା ମିଳିଥଲା ।

ସମ୍ବନ୍ଧିତ ଖବର