ଶ୍ରୀନଗର : ବାରମ୍ବାର ତାଗିଦ ସତ୍ତ୍ୱେ ପାକିସ୍ଥାନ ସୁଧରୁନଥିବାରୁ ଭାରତ ସରକାର ଆହୁରି କଠୋର ହେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ବର୍ଷ ଉରି ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ରକ୍ତ ଓ ପାଣି ଏକାଠି ବୋହିପାରିବ ନାହିଁ । ମୋଦିଙ୍କ ଏହି ଉକ୍ତିକୁ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ । ଏହି ଯୋଜନାର ଅଂଶସ୍ୱରୂପ ଭାରତ ଦେଇ ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀ ଜଳବଣ୍ଟନର ସମୀକ୍ଷା କରିବା ସହ ଉପରମୁଣ୍ଡରେ ଏକ ନଦୀବନ୍ଧ ନିର୍ମାଣ ଲାଗି ଭାରତ ପଦକ୍ଷେପ ଆରମ୍ଭ କରିଛି ।
ପ୍ରଥମ ପର୍ଯ୍ୟାୟରେ ଜାମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ବହୁମୁଖୀ ‘ଉଝ୍’ନଦୀବନ୍ଧ ପ୍ରକଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉଝ୍ ନଦୀ ହେଉଛି ଭାରତ ଦେଇ ପାକିସ୍ତାନକୁ ଯାଉଥିବା ରାବି ନଦୀର ଏକ ଶାଖା ନଦୀ । ଏଥିଲାଗି ଭାରତ ସରକାରଙ୍କ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ପାକିସ୍ତାନକୁ ବୋହି ଯାଉଥିବା ଜଳର ସମୁଚିତ ଉପଯୋଗ ଲାଗି ଏଭଳି ବନ୍ଦର ପରିକଳ୍ପନା କରାଯାଇଥିବା ଜଣାଯାଇଛି ।
“ରକ୍ତ ଓ ପାଣି ଏକାଠି ବୋହିପାରିବ ନାହିଁ”
ଚୀନ ଅଧିନରେ ଥିବା ତିବ୍ଦତରୁ ବାହାରି ଭାରତ ମଧ୍ୟ ଦେଇ ପାକିସ୍ତାନ ଯାଇଥିବା ସିନ୍ଧୁ ନଦୀ ଓ ତାହାର ଶାଖା ନଦୀଗୁଡ଼ିକ ପାକିସ୍ତାନର ସ୍ଥିତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ନଦୀର ପାଣି ନପହଞ୍ଚିଲେ ପାକିସ୍ତାନର ଅଧା ଅଞ୍ଚଳର ଜଳବିନା ମରୁଭୂମି ପାଲଟିବ । ୧୯୬୦ ଦଶକରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳବଣ୍ଟନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତେବେ ଭାରତ ଭାଗରେ ଯେତିକି ପାଣି ଆସିଥିଲା ତାହାକୁ ମଧ୍ୟ ପାକିସ୍ତାନକୁ ଛାଡିହେବାକୁ ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଅନୁମତି ଦେଇଥିଲେ । କିନ୍ତୁ ଭାରତର ଏଭଳି ଉଦାରତା ସତ୍ତ୍ୱେ ପାକିସ୍ତାନ ସବୁବେଳେ ଭାରତ ସହ ଶତ୍ରୁତା ଆଚରଣ କରୁଥିବାରୁ କେନ୍ଦ୍ରର ମୋଦି ସରକାର ଗତ ବର୍ଷ ଏହି ଚୁକ୍ତିର ସମୀକ୍ଷା କରିବା ଲାଗି ସଂକେତ ଦେଇଥିଲେ । କିନ୍ତୁ ଗତ ବର୍ଷ ହୋଇଥିବା ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଅଧିକ କଠୋର ହୋଇଥିଲେ ଓ ଉପରମୁଣ୍ଡରେ ନଦୀବନ୍ଧ ନିର୍ମାଣ କରି ନିଜ ଭାଗରେ ପଡିଥିବା ଜଳର ଉପଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ।