ବୁଧବାରଠାରୁ ୬ ଦେଶକୁ ଟିକା ଯୋଗାଣ ଆରମ୍ଭ କରିବ ଭାରତ  

ନୂଆଦିଲ୍ଲୀ : ଦେଶବ୍ୟାପି ଏକ ସଫଳ ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ ପରେ ଭାରତ ସରକାର ନିଜର ପଡ଼ୋଶୀ ଦେଶମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ।  ଭାରତ ନିଜର ଆବଶ୍ୟକତା ମେଣ୍ଟାଇବା ପରେ ପଡ଼ୋଶୀ ଦେଶ ବାଂଲାଦେଶ, ମାଳଦ୍ବୀପ, ନେପାଳ, ଭୁଟାନ , ମିଆଁମାର ଓ ସିସିଲ୍ସକୁ ଟିକା ଯୋଗାଇଦେବ ବୋଲି ଆଜି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଟିକା ଯୋଗାଣ ପାଇଁ ଏସବୁ ଦେଶମାନଙ୍କରୁ ଅନୁରୋଧ ଆସିଥିଲା । ନିଜର ପଡ଼ୋଶୀ ଓ ଘନିଷ୍ଠ ବନ୍ଧୁରାଷ୍ଟ୍ରମାନଙ୍କ ଅନୁରୋଧ ରକ୍ଷା କରି ଭାରତ ଆସନ୍ତା ୨୦ ତାରିଖରୁ ଏହି ୬ଟି ଦେଶମାନଙ୍କୁ ଟିକା ଯୋଗାଣ ଆରମ୍ଭ କରିବ ।

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଶ୍ବ ସମୁଦାୟର ସ୍ବାସ୍ଥ୍ୟସେବା ଆବଶ୍ୟକତା ମେଣ୍ଟାଉଥିବାରୁ ଭାରତ ନିଜକୁ ଧନ୍ୟ ମନେ କରୁଛି ।

ଟିକା ଯୋଗାଣ ପାଇଁ ଭାରତ ସରକାର ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ମରିସସଠାରୁ ମଧ୍ୟ ଅନୁରୋଧ ପାଇଛନ୍ତି । କିନ୍ତୁ ଏସବୁ ଦେଶରେ ଭାରତୀୟ ଟିକାକୁ ଅନୁମତି ମିଳିବାପରେ ଏସବୁ ଦେଶକୁ ମଧ୍ୟ ଟିକା ଯୋଗାଣ ଆରମ୍ଭ ହେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ ଗତ ଶନିବାରଠାରୁ ଟୀକାକରଣ ଆରମ୍ଭ ହୋଇଛି ।  ସାରା ଦେଶରେ ଏପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୫୪ ହଜାର ୦୪୯ ଜଣ ବ୍ୟକ୍ତିକୁ ଟିକା ଦିଆଯାଇଛି ।

ସମ୍ବନ୍ଧିତ ଖବର