‘ଅଗ୍ନି-୫’ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଭାରତ ମହାସାଗରରେ ଜଗିଛି ଚୀନ ଜାହାଜ

ନୂଆଦିଲ୍ଲୀ : ଚଳିତ ମାସର ୧୫-୧୬ ତାରିଖରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ବୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ପାଇଁ ଡିଆରଡିଓ ନିଷ୍ପତ୍ତି ନେଇଛି । ଏଥିପାଇଁ ବିମାନଗୁଡ଼ିକ ପାଇଁ ଆକାଶରେ ସତର୍କତା ଜାରି କରାଯାଇଛି । କିନ୍ତୁ ଏହି ପରୀକ୍ଷଣକୁ ନେଇ ଭାରତ ଏକ ଆଶଙ୍କାରେ ରହିଛି । ଆଶଙ୍କାର କାରଣ ହେଉଛି ଭାରତ ମହାସାଗରରେ ଥିବା ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ-୬ ।

ଗତ ନଭେମ୍ବର ମାସରୁ ଏହି ଜାହାଜ ଭାରତ ମହାସାଗରରେ ବୁଲୁଛି । ଏଥିପାଇଁ ନଭେମ୍ବରେ ହେବାକୁ ଥିବା ଅଗ୍ନି-୫ ପରୀକ୍ଷଣକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ଡିସେମ୍ବରରେ ଅଗ୍ନି ପରୀକ୍ଷଣ ହେବାକୁ ଥିବାବେଳେ ଚୀନର ସେହି ଗୁପ୍ତଚର ଜାହାଜ ଭାରତ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଛି ।

ଭାରତର ଚିନ୍ତାର କାରଣ

ଉଆନ ଓ୍ବାଙ୍ଗ-୬କୁ ଚୀନ ଗବେଷଣା ଜାହାଜ କହୁଥିବାବେଳେ ଏହା ଏକ ଗୁପ୍ତଚର ଜାହାଜ ବୋଲି ଭାରତ ଜାଣିଛି । ଏଥିରେ ଲାଗିଥିବା ଅତ୍ୟାଧୁନିକ ଟ୍ରାକିଂ ଓ ସାଟେଲାଇଟ ଉପକରଣ ଭାରତୀୟ କ୍ଷେପଣାସ୍ତ୍ରର ବେଗ, ସଠିକତା ଓ ରେଞ୍ଜ୍ ଠଉରେଇ ପାରିବ । ଏହି ତଥ୍ୟକୁ ଭିତ୍ତିକରି ଚୀନ ନିଜର ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ବିକଶିତ କରିବାର ଆଶଙ୍କା ରହିଛି । ଏଣୁ ଏହି ଜାହାଜକୁ ସଂଦେହ ଦୃଷ୍ଟିରେ ଦେଖୁଛି ଭାରତ ।

ଭାରତ ଅଗ୍ନି-୫ ହିଁ ଚୀନର ସବୁ ଅଂଚଳକୁ ଭେଦ କରିବାକୁ ସକ୍ଷମ । ଏଣୁ ଏହି କ୍ଷେପଣାସ୍ତ୍ରର ମୁକାବିଲା ପାଇଁ ଚୀନ ନିଜର ବାୟୁପ୍ରତିରକ୍ଷା ପ୍ରଣାଳୀକୁ ପ୍ରସ୍ତୁତ କରୁଛି ।

 

ସମ୍ବନ୍ଧିତ ଖବର