ନୂଆଦିଲ୍ଲୀ:ଭାରତ ୨୪ ଏବଂ ୨୫ ସେପ୍ଟେମ୍ବରରେ ବଙ୍ଗୋପସାଗରରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ଏହି ପରୀକ୍ଷଣ ଅବଦୁଲ କଲାମ ଦ୍ୱୀପରୁ କରାଯିବ। ଏଥିପାଇଁ ଏୟାରମ୍ୟାନଙ୍କୁ ନୋଟିସ (ନୋଟାମ)ଅର୍ଥାତ୍ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଭାରତର କ୍ଷେପଣାସ୍ତ୍ର କ୍ଷମତା ବିକାଶ ଏବଂ ପରୀକ୍ଷଣ ପାଇଁ ନିରନ୍ତର ପ୍ରୟାସକୁ ସୂଚିତ କରୁଛି।

Advertisment

ବିଜ୍ଞପ୍ତିରେ କୁହାଯାଇଛି ଯେ, ବଙ୍ଗୋପସାଗର ଏବଂ ଭାରତ ମହାସାଗରର ଏକ ବଡ଼ ଅଞ୍ଚଳ ସେପ୍ଟେମ୍ବର ୨୪ ତାରିଖ ଦିନ ମଧ୍ୟାହ୍ନ ସାଢ଼େ ୧୨ଟାରୁ ସେପ୍ଟେମ୍ବର ୨୫ ତାରିଖ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ନୋ-ଫ୍ଲାଏ ଜୋନ୍ ହେବ। ଏହି ଅଞ୍ଚଳର ଲମ୍ବ ପ୍ରାୟ ୧,୪୩୦ କିଲୋମିଟର ସ୍ଥିର କରାଯାଇଛି। ଏହି ସମୟ ମଧ୍ୟରେ, ସମୁଦ୍ରର ସେହି ଅଂଶକୁ ବିମାନ କିମ୍ବା ଜାହାଜ ଯାଇପାରିବେ ନାହିଁ।

ଅନୁମାନ କରାଯାଉଛି ଭାରତ ଏହାର ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ହେବାକୁ ଥିବା ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ଲକ୍ଷ୍ୟଭେଦ କ୍ଷମତା ୧,୫୦୦ କିଲୋମିଟରରୁ କମ୍ ହେବ ବୋଲି ଆଶା କରାଯାଉଛି।

ପୂର୍ବରୁ, ଭାରତ ୫,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି ୫'ର ସଫଳତାର ସହିତ ପରୀକ୍ଷଣ କରିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଓଡ଼ିଶାର ଚାନ୍ଦିପୁରରେ ଥିବା ପରୀକ୍ଷଣ କେନ୍ଦ୍ରରୁ କରାଯାଇଥିବା ଏହି ପରୀକ୍ଷଣ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟରକୁ ସଫଳତାର ସହିତ ସମ୍ପନ୍ନ କରିଛି। ଅଗ୍ନି-୫ କ୍ଷେପଣାସ୍ତ୍ର ଚୀନ୍‌ର ଉତ୍ତର ଭାଗ ଏବଂ ୟୁରୋପର କିଛି ଅଞ୍ଚଳ ସମେତ ପ୍ରାୟ ସମଗ୍ର ଏସିଆକୁ କଭର କରିପାରିବ।

ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଭାରତ ମହାସାଗରରେ ସଠିକ୍ ଭାବରେ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ବିବୃତିରେ କହିଥିଲା ଯେ, ଅଗ୍ନି-୫ କ୍ଷେପଣାସ୍ତ୍ର ବର୍ତ୍ତମାନର ପରୀକ୍ଷଣରେ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟର ପୂରଣ କରିଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷର ପ୍ରାୟ ସାଢ଼େ ତିନି ମାସ ପରେ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଗତ ବର୍ଷ ମାର୍ଚ୍ଚ ମାସରେ ଭାରତ  ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷଣ ମଧ୍ୟ କରିଥିଲା। ଅଗ୍ନି-୫ କ୍ଷେପଣାସ୍ତ୍ର ପାକିସ୍ତାନ, ଚୀନ୍ ଏବଂ ତୁର୍କୀକୁ ଟାର୍ଗେଟ କରିବାର କ୍ଷମତା ରଖିଛି।