ସୀମାକୁ ଜଗିବ ରୋବର୍ଟ କମାଣ୍ଡୋ, ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଟର୍ମିନେଟର

ଟେକନଲୋଜୀ ଦେବ ଜାପାନ

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନକୁ କଡା ଜବାବ ଦେବା ପାଇଁ ଭାରତ ଏକ ଗୋପନ ରଣନୀତି ଉପରେ କାମ କରୁଛି । ତାହା ହେଉଛି ଯୁଦ୍ଧ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( କୃତ୍ରିମ ବୁଦ୍ଧି) ଥିବା ରୋବୋର୍ଟ ମାନଙ୍କ ବ୍ୟବହାର । ସରଳଭାଷାରେ କହିଲେ ଆଗକୁ ଆମ ସୀମାରେ ସୈନିକ ଥିବା ବଦଳରେ ଥିବେ ଟର୍ମିନେଟର ପରି ବୁଦ୍ଧିଆ ରୋବର୍ଟ । ଏ କ୍ଷେତ୍ରରେ ମିଳିଭାବେ କାର୍ଯ୍ୟ କରିବାକୁ ଭାରତ ଓ ଜାପାନ ରାଜି ହୋଇଛନ୍ତି । ଜାପାନ ଏହି ଟେକନଲୋଜୀରେ ଆଗୁଆ ଥିବାବେଳେ ଭାରତକୁ ସହାୟତା କରିବାକୁ ରାଜି ହୋଇଛି ।

ପାକିସ୍ତାନ ଓ ଚୀନ ପଟୁ ବିପଦ ଦିନକୁ ଦିନ ବଢୁଥିବାରୁ ନିଜର ପ୍ରତିରକ୍ଷା କ୍ଷମତାକୁ ଅଧିକ ଶକ୍ତିଶାଳୀ ଓ ଅତ୍ୟାଧୁନିକ କରିବାକୁ ଭାରତ ଯୋଜନା କରୁଛି । ବିଶେଷକରି ଆଗାମୀ ଦିନରେ ଚୀନ ପଟୁ ଭାରତ ଅଧିକ ବିପଦର ଆଶଙ୍କା କରୁଛି । କାରଣ ଚୀନ ସହ ଭାରତର ବିବାଦ ବଢିଚାଲିଥିବାବେଳେ ଚୀନ ନିଜର ସେନାବାହିନୀ ଓ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ ଆରମ୍ଭ କରିଛି । ଏହାକୁ ନଜରରେ ରଖି ଭାରତ କେତେକ ସ୍ୱତନ୍ତ୍ର ଯୋଜନା ଉପରେ କାର୍ଯ୍ୟକରୁଛି । ଏହା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଅତି ଗୋପନୀୟ ଯୋଜନା ହେଉଛି ଯୁଦ୍ଧକ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସର ବ୍ୟବହାର । ସରଳ ଭାଷାରେ କହିଲେ ଯୁଦ୍ଧକ୍ଷେତ୍ରରେ ମଣିଷ ସୈନ୍ୟଙ୍କ ଅପେକ୍ଷା କୃତ୍ରିମ ବୁଦ୍ଧିଥିବା ମେସିନ ସୈନ୍ୟଙ୍କ ବ୍ୟବହାର । ଏହାଫଳରେ ଯୁଦ୍ଧରେ ହତାହତଙ୍କ ସଂଖ୍ୟା କମାଇହେବ ଓ ଆକ୍ରମଣଟି ଅଧିକ ପ୍ରଭାବୀ ହେବ ।

ଚୀନ ଓ ପାକିସ୍ତାନକୁ ଲାଗିଥିବା ଆମ ଦେଶର ସୀମା ଅଧିକ ଦୁର୍ଗମ ହୋଇଥିବାରୁ ଅତି ପ୍ରତିକୂଳ ପରିବେଶରେ ଆମ ଦେଶର ସୈନ୍ୟମାନେ ଶତ୍ରୁ ସହ ଲଢିଥାନ୍ତି । ଏସବୁ ଦୁର୍ଗମ ସ୍ଥାନ ମଧ୍ୟରେ ରହିଛି ବରଫାବୃତ ସିଆଚେନ, ହିମାଳୟର ପାର୍ବତ୍ୟାଞ୍ଚଳ ଓ ରାଜସ୍ଥାନର ମରୁଭୂମି । ଏସବୁ ସ୍ଥାନରେ ପ୍ରତିକୂଳ ପରିବେଶରେ ପଡି ଅନେକ ସୈନ୍ୟ ମୃତ୍ୟୁମୁଖରେ ପଡ଼ନ୍ତି । ତେବେ ରୋବୋଟିକ୍ସର ବ୍ୟବହାର ଫଳରେ ଏହି ମୃତ୍ୟୁ ସଂଖ୍ୟା କମାଇହେବ । ପୁଣି ପାକିସ୍ତାନ ସୀମାରେ ଏଗୁଡ଼ିକୁ ମୃତୟନ କଲେ ଶତ୍ରୁପକ୍ଷର ଗୁଳିରେ ଆମ ଜବାନଙ୍କ ମୃତ୍ୟୁ ହେବ ନାହିଁ । ପୁଣି ଏହା ବି ହୋଇପାରେ ଯେ ଆମର ସେନାକୁ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ପାଇଁ ତାଙ୍କ ସୀମାରେ ପଶିବାକୁ ପଡ଼ିବ ନାହିଁ । କାରଣ ରୋବର୍ଟ ସୈନିକ ପାକିସ୍ତାନ ସୀମାରେ ପଶି ଯୁଦ୍ଧ କରୁଥିବାବେଳେ ଆମର ସୈନିକ କଣ୍ଟ୍ରୋଲ ରୁମରେ ବସି ତାହାକୁ ନିୟନ୍ତ୍ରଣ କରୁଥିବେ ।

କେବଳ ଜାପାନ ଓ ଭାରତ ନୁହେଁ, ଆମେରିକା, ଋଷିଆ, ଚୀନ ଓ ଇସ୍ରାଏଲ ମଧ୍ୟ ଏ କ୍ଷେତ୍ରରେ କାର୍ଯ୍ୟକରୁଛନ୍ତି । କିନ୍ତୁ ଯୁଦ୍ଧ କ୍ଷେତ୍ରରେ ରୋବୋର୍ଟର ବ୍ୟବହାର ଦ୍ୱାରା ମଣିଷର ସ୍ଥିତିପ୍ରତି ବିପଦ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି ।

ସମ୍ବନ୍ଧିତ ଖବର