ମୁଖ୍ୟମନ୍ତ୍ରୀ ଭାବେ ନବୀନ ଓଡ଼ିଶାରେ ସର୍ବାଧିକ ଲୋକପ୍ରିୟ

ଓଡ଼ିଶା, ପଶ୍ଚିମବଙ୍ଗ ଭୋଟରଙ୍କ ପ୍ରଥମ ପସନ୍ଦ ମୋଦୀ

ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ(ପିଏସଇ)ର ତାଜା ସର୍ଭେ ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ପଦ ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଜନତାଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ନରେନ୍ଦ୍ର ମୋଦୀ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଅତୁଟ ଥିଲେ ମଧ୍ୟ ଲୋକେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ହିଁ ଦେଖିବାକୁ ଚାହୁଛନ୍ତି। ପଶ୍ଚିମବଙ୍ଗରେ ସର୍ଭେରେ ଅଂଶଗ୍ରହଣ କରିଥିବା ୪୬ ପ୍ରତିଶତ ଜନତା ପରବର୍ତୀ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ଚାହୁଥିବାବେଳେ ପ୍ରଧାନମନ୍ତ୍ରୀ ଭାବେ ମମତାଙ୍କୁ ମାତ୍ର ୨୫ ପ୍ରତିଶତ ଏବଂ ରାହୁଲ ଗାନ୍ଧୀଙ୍କୁ ୧୫ ପ୍ରତିଶତ ସମର୍ଥନ ମିଳିଛି। ଓଡ଼ିଶାରେ ସର୍ଭେରେ ଭାଗ ନେଇଥିବା ୫୮ ପ୍ରତିଶତ ଜନତା ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ବୋଲି କହିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ୨୦ ପ୍ରତିଶତ ଏବଂ ନବୀନ ପଟ୍ଟନାୟକଙ୍କୁ ୧୦ ପ୍ରତିଶତ ଭୋଟରଙ୍କ ସମର୍ଥନ ମିଳିଛି।

ଏହି ଜନମତ ସର୍ଭେ ଅନୁସାରେ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ପଦରେ ଥିବା ନବୀନ ପଟ୍ଟନାୟକ ବର୍ତ୍ତମାନ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ଯଦିଓ ଗତ ଚାରି ମାସ ମଧ୍ୟରେ ତାଙ୍କର ଲୋକପ୍ରିୟତାରେ ସାମାନ୍ୟ ହ୍ରାସ ଘଟିଛି ତଥାପି ସେ ରାଜ୍ୟର ଅନ୍ୟନେତାଙ୍କ ଠାରୁ ଆଗରେ ଅଛନ୍ତି। ଜାନୁଆରି ମାସରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୫୨ ପ୍ରତିଶତ ଅଂଶଗ୍ରହଣକାରୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ୨୦୧୮ ସେପ୍ଟେମ୍ବର ଓ ନଭେମ୍ବରରେ ଏହି ସମର୍ଥନ ଯଥାକ୍ରମେ ୫୪ ଓ ୫୯ ପ୍ରତିଶତ ଥିଲା। ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ୍‌ଏକ୍ସଚେଞ୍ଜ ତଥ୍ୟ ଅନୁସାରେ ପସନ୍ଦର ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ତଳକୁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨୬ ପ୍ରତିଶତ ଅଂଶଗ୍ରହଣକାରୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ଏହି ତାଲିକାରେ ଧର୍ମେନ୍ଦ୍ରଙ୍କ ତଳକୁ ରହିଛନ୍ତି ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକ। ୮ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର