ଜେଏନୟୁ ହିଂସାକାଣ୍ଡ ଉପରେ ଇଣ୍ଡିଆ ଟୁଡେ’ର ଷ୍ଟିଙ୍ଗ ଅପରେସନ : ସଂପୃକ୍ତିକୁ ସ୍ୱୀକାର କଲେ ଉଭୟ ଏବିଭିପି ଓ ବାମପନ୍ଥୀ ସଦସ୍ୟ

ନୂଆଦିଲ୍ଲୀ : ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଗତ ୫ ତାରିଖରେ ହୋଇଥିବା ହିଂସାକାଣ୍ଡ ସଂପର୍କରେ ଆଜି ଦିଲ୍ଲୀ ପୁଲିସ ୯ ଜଣ ସଂଦିଗ୍ଧଙ୍କ ଫଟୋ ଜାରି କରିଛି । ସେମାନଙ୍କ ମଧ୍ୟରୁ ୭ ଜଣ ବାମପନ୍ଥୀ ଛାତ୍ର ଓ ୨ ଜଣ ଏବିଭିପି ଛାତ୍ର ବୋଲି ଜଣାପଡ଼ିଛି ।
ତେବେ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଏକ ଷ୍ଟିଙ୍ଗ ଅପରେସନରୁ କେତେକ ଚମକପ୍ରଦ ତଥ୍ୟ ସାମନାକୁ ଆସିଛି । ଏହି ଷ୍ଟିଙ୍ଗ ଅପରେସନରେ କେତେକ ଏବିଭିପି ଛାତ୍ରଙ୍କ ସଂପୃକ୍ତିକୁ ଉଜାଗର କରାଯାଇଛି । ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରମାନଙ୍କ ସଂପୃକ୍ତିକୁ ମଧ୍ୟ ଏଥିରେ ଦେଖାଯାଇଛି ।
ଫରାସୀ ଭାଷା ବିଭାଗର ଛାତ୍ର ଅକ୍ଷତ ଅବସ୍ତି ଏକ ଭିଡ଼ିଓ ଫୁଟେଜରେ ନିଜକୁ ଚିହ୍ନିବା ସହ ହିଂସାକାଣ୍ଡରେ ନିଜର ସଂପୃକ୍ତିକୁ ସ୍ୱୀକାର କରିଛି । ସେ କହିଛିଯେ ବାମପନ୍ଥୀ ଛାତ୍ରମାନେ ପ୍ରଥମେ ଆକ୍ରମଣ କରିବା ପରେ ଏବିଭିପି ପକ୍ଷରୁ ବାହାର କ୍ୟାମ୍ପସରୁ କେତେକ ଛାତ୍ରଙ୍କୁ ଡକାଯାଇ ସାବରମତି ହଷ୍ଟେଲରେ ପଶି ପ୍ରତିଆକ୍ରମଣ କରାଯାଇଥିଲା । ସେ ମଧ୍ୟ ଏକ ଲାଠି ସାହାଯ୍ୟରେ ଆକ୍ରମଣ କରିଥିବା ସ୍ୱୀକାର କରିଛି । ପୁଲିସମାନେ ମଧ୍ୟ ବାମପନ୍ଥୀ ଛାତ୍ରମାନଙ୍କୁ ମାରିବା ପାଇଁ ଏବିଭିପିକୁ ଉତ୍ସାହିତ କରିଥିଲେ ବୋଲି ସେ କହିଛି । ଅନ୍ୟପକ୍ଷରେ ଗୀତା କୁମାରୀ ନାମକ ଜଣେ ବାମପନ୍ଥୀ ଛାତ୍ରୀ ମଧ୍ୟ ହିଂସାକାଣ୍ଡରେ ନିଜର ସଂପୃକ୍ତିକୁ ସ୍ୱୀକାର କରିଛି । ସେମାନେ ବିଶ୍ୱବିଦ୍ୟାଳୟର ସର୍ଭର ରୁମକୁ ଭାଙ୍ଗିଥିବା ସେ ସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର