ଇଣ୍ଡିଆ ଟୁଡେ ସର୍ଭେ : ନୀତୀଶଙ୍କ ବିଦାୟ ଯୋଗୁଁ ନିର୍ବାଚନରେ ଏନଡିଏ କ୍ଷତି ସହିବ

ନୂଆଦିଲ୍ଲୀ : ନୀତୀଶ କୁମାରଙ୍କ ବିଦାୟ ବିହାରରେ ଏନଡିଏର ପ୍ରଦର୍ଶନକୁ ପ୍ରଭାବିତ କରିବ ଓ ଲୋକସଭା ନିର୍ବାଚନରେ ଆସନ ସଂଖ୍ୟା କମିବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି ।

ଇଣ୍ଡିଆଟୁଡେ ପକ୍ଷରୁ କରାଯାଇଥିବା ମୁଡ ଅଫ ଦି ନେସନ ସର୍ଭେରେ କୁହାଯାଇଛି ଯେ, ଦେଶରେ ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ ଲୋକପ୍ରିୟ ଅଛନ୍ତି । ତାଙ୍କ ପ୍ରତିଦ୍ବନ୍ଦିତାରେ କୌଣସି ନେତା ନାହାନ୍ତି । ପ୍ରଧାନମନ୍ତ୍ରୀ ହେବାର ୮ ବର୍ଷ ପରେ ବି ତାଙ୍କ ଲୋକପ୍ରିୟତା ମଳିନ ପଡ଼ିନାହିଁ । ଦେଶରେ ଯଦି ଏବେ ଲୋକସଭା ନିର୍ବାଚନ ହୁଏ, ତେବେ ଏନଡିଏ ସରକାର ଗଢିବ । କିନ୍ତୁ ନୀତୀଶଙ୍କ ବିଦାୟର ପ୍ରଭାବ ଯୋଗୁଁ ଏନଡିଏର ଆସନ ସଂଖ୍ୟା କମିବ ।

ଅଗଷ୍ଟ ୧ ପୂର୍ବରୁ ଯଦି ନିର୍ବାଚନ ହୋଇଥାନ୍ତା ତେବେ ଏନଡିଏ ୩୦୭ଟି ଆସନ ଓ ୟୁପିଏ ୧୨୫ଟି ଆସନ ଓ ଅନ୍ୟମାନେ ୧୧୧ଟି ଆସନ ଜିତିଥାନ୍ତେ । କିନ୍ତୁ ନୀତୀଶଙ୍କ ବିଦାୟ ପରେ, ଏବେ ଯଦି ଲୋକସଭା ନିର୍ବାଚନ ହୁଏ, ତେବେ ଏନଡିଏକୁ ୨୮୬ଟି ଓ ୟୁପିଏକୁ ୧୪୬ଟି ଆସନ ମିଳିବ ।

ଏହି ସର୍ଭେଟି ନୀତୀଶଙ୍କ ବିଦାୟ ପୂର୍ବରୁ କରାଯାଇଥିଲା । କିନ୍ତୁ ନୀତୀଶଙ୍କ ବିଦାୟ ପରେ ପୁଣି ଏକ ସାନି ସର୍ଭେ କରାଯାଇଥିଲା ।

ଗତ ୯ ତାରିଖରେ ନୀତୀଶ ଏନଡିଏ ସହ ମେଣ୍ଟ ଭାଙ୍ଗି ପୁଣି ଥରେ ଆରଜେଡି ସହ ମେଣ୍ଟ କରିଥିଲେ ଓ ୧୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

 

ସମ୍ବନ୍ଧିତ ଖବର