ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟ୍ ମୁଡ୍ ଅଫ୍ ଦି ନେସନ ପୋଲ୍ ସର୍ଭେ, କାହାରିକୁ ମିଳିବନି ସଂଖ୍ୟା ଗରିଷ୍ଠତା

ଏନଡିଏ ହରାଇବ ୯୯ ଆସନ, ଉପା ପାଇବ ଅଧିକ ୧୦୬ ଆସନଅନ୍ୟାନ୍ୟ ପାଇବେ ୧୪୦ ଆସନ

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହେବାରେ ଲାଗିଲେଣି। ଆସନ୍ତା ମାର୍ଚ ପ୍ରଥମ ସପ୍ତାହରେ ନିର୍ବାଚନ କମିସନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଦେଶରେ ଏବେ ନିର୍ବାଚନ ହେଲେ କାହାରିକୁ ସଂଖ୍ୟା ଗରିଷ୍ଠତା ମିଳିବନି। ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୨୭୨ର ଆବଶ୍ୟକତା ଥିବାବେଳେ ଏହାକୁ ବିଜେପି ନେତୃତ୍ବାଧୀନ ଏନଡିଏ କିମ୍ବା କଂଗ୍ରେସ ନେତୃତ୍ବାଧୀନ ଉପା ଛୁଇଁବାକୁ ସକ୍ଷମ‌ ହେବେ। ଏପରିକି ଏହି ସଂଖ୍ୟାର ପାଖାପାଖି କେହି ପହଞ୍ଚିବେ ନାହିଁ। ଇଣ୍ଡିଆ ଟୁଡେ ଏବଂ କାର୍ଭି ଇନସାଇଟ୍ସ ମୁଡ୍ ଅଫ୍ ଦି ନେସନ ପୋଲ୍ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା କୁହାଯାଇଛି। ତେବେ ସର୍ଭେରେ ଯେଉଁ ଫଳାଫଳ ମିଳିଛି ତାହା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ କିଛିମାତ୍ରାରେ ଖୁସି ଦେବ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହା ଝଟ୍‌କା ଦେବ। ସର୍ଭେରେ କୁହାଯାଇଛି ଯେ, ଯଦି ଆଜି ନିର୍ବାଚନ ହେଲେ ସଂସଦରେ ଏନଡିଏ ଏହାର ସଂଖ୍ୟା ଗରିଷ୍ଠତା ହରାଇବ। ଏନଡିଏ ୨୩୭ଟି ଆସନରେ ଜିତିବାକୁ ସକ୍ଷମ ହେବ। ଫଳରେ ୨୦୧୪ ନିର୍ବାଚନ ତୁଳନାରେ ଏନଡିଏକୁ ୮୬ଟି ଆସନ କମ୍ ମିଳିବ। ୨୦୧୪ ନିର୍ବାଚନରେ ବିଜେପି ଏକୁଟିଆ ମ୍ୟାଜିକ ସଂଖ୍ୟାରୁ ଅଧିକ ଆସନ ପାଇଥିବାରୁ ଏହି ଦଳକୁ କେତେ ବଡ଼ ଧକ୍କା ଲାଗିବ ତାହା ଏଥିରୁ ବୁଝାପଡ଼ୁଛି। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ଉପା ୧୬୬ଟି ଆସନରେ ଜିତିବାକୁ ସକ୍ଷମ ହେବ। ୨୦୧୪ ନିର୍ବାଚନ ତୁଳନାରେ ଉପାକୁ ଅଧିକ ୧୦୬ଟି ଆସନ ମିଳିବ। ତେବେ ଅନ୍ୟାନ୍ୟ ଦଳଗୁଡ଼ିକ ୧୪୦ଟି ଆସନରେ ବିଜୟ ଲାଭ କରିବେ। ୨୦୧୪ ନିର୍ବାଚନ ତୁଳନାରେ ଅନ୍ୟାନ୍ୟ ଦଳ ଗୁଡ଼ିକ ୧୩ଟି କମ୍ ଆସନ ପାଇବେ ବୋଲି ଏହି ସର୍ଭେରେ କୁହାଯାଇଛି। ଯଦି ଏହି ଚିତ୍ର ଆସନ୍ତା ନିର୍ବାଚନ ବେଳକୁ ରହେ ତାହେଲେ ଦେଶରେ କିଏ ସରକାର ଗଠନ କରିବ ତାହା କହିବା କଷ୍ଟକର ହୋଇପଡ଼ିବ। ସେହିଭଳି ପ୍ରଧାନମନ୍ତ୍ରୀ ଚୌକିରେ ନରେନ୍ଦ୍ର ମୋଦୀ କିମ୍ବା ରାହୁଲ ଗାନ୍ଧୀ ବସିବେ ତାହା ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର