ନୂଆଦିଲ୍ଲୀ: ଆସନ୍ତା ମାସରେ ୫ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଂଜାବରେ ବିଧାନସଭା ନିର୍ବାଚନ ଅଛି। ଏହା ପୂର୍ବରୁ ଆଜି ‘ଇଣ୍ଡିଆ ଟୁଡେ’ର ଦ୍ବିବାର୍ଷିକ ଦେଶବ୍ୟାପୀ ସର୍ବେକ୍ଷଣ ତଥା ‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେ ପ୍ରକାଶ ପାଇଛି। ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶରେ ୭୫ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ସନ୍ତୋଷଜନକ କହିଛନ୍ତି, ୯ ପ୍ରତିଶତ ଚଳନୀୟ କହିଥିବା ବେଳେ ୧୬ ପ୍ରତିଶତ ମୋଦୀଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୋଆରେ ୬୭ ପ୍ରତିଶତ ଲୋକ ମୋଦୀ ସରକାରଙ୍କ କାର୍ଯ୍ୟକୁ ଭଲ କହିଥିବା ବେଳେ ୧୩ ପ୍ରତିଶତ ଚଳନୀୟ ଏବଂ ୨୦ ପ୍ରତିଶତ ଖରାପ୍ ବୋଲି କହିଛନ୍ତି। ସେହିପରି ମଣିପୁରରେ ୭୩ ପ୍ରତିଶତ ମୋଦୀଙ୍କ କାର୍ଯ୍ୟକୁ ଭଲ କହିଛନ୍ତି, ୮ ପ୍ରତିଶତ ଚଳନୀୟ କହିଥିବା ବେଳେ ୧୮ ପ୍ରତିଶତ ଲୋକ ମୋଦୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନାହାନ୍ତି। ପଂଜାବରେ ମୋଦୀଙ୍କ କାର୍ଯ୍ୟକୁ ୩୭ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ୧୬ ପ୍ରତିଶତ ଚଳନୀୟ କହିଛନ୍ତି ଏବଂ ୪୪ ପ୍ରତିଶତ ନାପସନ୍ଦ କରିଛନ୍ତି। ସେହିପରି ଉତ୍ତରାଖଣ୍ଡରେ ମୋଦୀଙ୍କ କାର୍ଯ୍ୟକୁ ୫୯ ପ୍ରତିଶତ ଭଲ କହିଥିବାବେଳେ ୧୬ ପ୍ରତିଶତ ଚଳନୀୟ ଏବଂ ୨୦ ପ୍ରତିଶତ ନାପସନ୍ଦ କରିଛନ୍ତି।
ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକୁ ରାଜ୍ୟରେ ୪୯ ପ୍ରତିଶତ ପସନ୍ଦ କରିଥିବା ବେଳେ ୩୪ ପ୍ରତିଶତ ନାପସନ୍ଦ କରିଛନ୍ତି। ୧୭ ପ୍ରତିଶତ ଯୋଗୀଙ୍କ କାର୍ଯ୍ୟକୁ ଚଳନୀୟ ବୋଲି କହିଛନ୍ତି। ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ କାର୍ଯ୍ୟରେ ୨୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବାବେଳେ ୩୪ପ୍ରତିଶତ ଅସନ୍ତୁଷ୍ଟ ଅଛନ୍ତି ଏବଂ ୩୯ ପ୍ରତିଶତ ତାଙ୍କ କାର୍ଯ୍ୟକୁ ଚଳନୀୟ ବୋଲି କହିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ କାର୍ଯ୍ୟକୁ ୩୩ ପ୍ରତିଶତ ପସନ୍ଦ କରିଥିବାବେଳେ ୩୭ ପ୍ରତିଶତ ନାପସନ୍ଦ କରିଛନ୍ତି ଏବଂ ୩୦ ପ୍ରତିଶତ ପଂଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ଚଳନୀୟ କହିଛନ୍ତି। ଉତ୍ତରାଖଣ୍ଡରେ ୪୧ ପ୍ରତିଶତ ଲୋକ ପୁଷ୍କର ସିଂହ ଧାମୀଙ୍କ କାର୍ଯ୍ୟକୁ ଭଲ କହିଛନ୍ତି। ୩୪ ପ୍ରତିଶତ ଧାମୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନାହାନ୍ତି ଏବଂ ୨୬ ପ୍ରତିଶତ କାର୍ଯ୍ୟକୁ ଚଳନୀୟ କହିଛନ୍ତି। ଅନ୍ୟପକ୍ଷେ ମଣିପୁରରେ ଏନ୍ ବୀରେନ୍ ସିଂହଙ୍କ କାର୍ଯ୍ୟକୁ ୩୯ ପ୍ରତିଶତ ପସନ୍ଦ କରିଥିବାବେଳେ ୩୩ ପ୍ରତିଶତ ନାପସନ୍ଦ କରିଛନ୍ତି ଏବଂ ୨୮ ପ୍ରତିଶତ ଚୟନୀୟ ବୋଲି କହିଛନ୍ତି।
ଉତ୍ତରପ୍ରଦେଶରେ ୬୯ ପ୍ରତିଶତ ଲୋକ ଏନ୍ଡିଏ ସରକାରକୁ ନେଇ ସନ୍ତୁଷ୍ଟ ଥିବାବେଳେ ୨୨ ପ୍ରତିଶତ ଅସନ୍ତୁଷ୍ଟ ଅଛନ୍ତି। ୮ ପ୍ରତିଶତ ଲୋକ ସନ୍ତୁଷ୍ଟ ନାହାନ୍ତି କି ଅସନ୍ତୁଷ୍ଟ ନାହାନ୍ତି। ପଂଜାବରେ ୩୪ ପ୍ରତିଶତ ଏନ୍ଡିଏ ସରକାରରେ ସନ୍ତୁଷ୍ଟ ଅଛନ୍ତି ଏବଂ ୫୧ ପ୍ରତିଶତ ଅସନ୍ତୁଷ୍ଟ ଅଛନ୍ତି। ସର୍ଭେ ଅନୁଯାୟୀ ଏବେ ଯଦି ଲୋକସଭା ନିର୍ବାଚନ ହୁଏ ତା’ହେଲେ ୫୪୩ ଆସନରୁ ଏନ୍ଡିଏକୁ ୨୯୬ (ବିଜେପି-୨୭୧), କଂଗ୍ରେସକୁ ୬୨ ଏବଂ ଅନ୍ୟମାନଙ୍କୁ ୧୭୧ ଆସନ ମିଳିବ।