ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ଭାରତ ସବୁଠାରୁ ଆଗରେ

ଭୁବନେଶ୍ୱର:ସମଗ୍ର ବିଶ୍ୱରେ ଭାରତ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ପ୍ରଥମ ରାଷ୍ଟ୍ର। ଭାରତ ବର୍ତ୍ତମାନ ସୁଦ୍ଧା ଏହାର ସାମରିକ ଶକ୍ତି ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ପ୍ରସ୍ତୁତ କରି ପାରି ନ ଥିବା ବେଳେ ଓ ଭୌଗଳିକ ଦୃଷ୍ଟିକୋଣରୁ ବେଶ ସମ୍ବେଦନଶୀଳ ଥିବା ଭାରତ ୨୦୧୩ରୁ ୨୦୧୭ ମଧ୍ୟରେ ସମଗ୍ର ବିଶ୍ଵରେ ଯେତେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ, ଯୁଦ୍ଧପୋତ ଆମଦାନୀ ହୋଇଛି, ତାର ପ୍ରାୟ ୧୨ ପ୍ରତିଶତ କେବଳ ଭାରତ ଆମଦାନୀ କରିଛି । ସେହିପରି ୨୦୦୮-୨୦୧୨ ରୁ ୨୦୧୩-୨୦୧୭ ମଧ୍ୟରେ ଭାରତ ତାର ଅସ୍ତ୍ରଶସ୍ତ୍ର ଆମଦାନୀ ୨୪ ପ୍ରତିଶତ ବୃଦ୍ଧି କରିଛି ବୋଲି ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି।

ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ତଥ୍ୟ ଅନୁଯାୟୀ, ସାଉଦ ଆରବ, ଇଜିପ୍ଟ, ୟୁଏଇ, ଚୀନ, ଅଷ୍ଟ୍ରେଲିଆ, ଆଲଜେରିଆ, ଇରାକ, ପାକିସ୍ତାନ ଓ ଇଣ୍ଡୋନେସିଆ ମଧ୍ୟ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ବେଶ୍‌ ଆଗରେ ବୋଲି କୁହାଯାଇଛି। ସେହିପରି ୨୦୧୩ରୁ ୨୦୧୭ ମଧ୍ୟରେ ରୁଷିଆ ଭାରତକୁ ୬୨ ପ୍ରତିଶତ ଅସ୍ତ୍ରଶସ୍ତ୍ର ଯୋଗାଣ କରିଥିବା ବେଳେ ଆମେରିକା ୧୫ ପ୍ରତିଶତ, ଇସ୍ରାଏଲ ୧୧ ପ୍ରତିଶତ ଅସ୍ତ୍ରଶସ୍ତ୍ର ଭାରତକୁ ରପ୍ତାନୀ କରିଛନ୍ତି।

ଯଦିଓ ରୁଷ ଓ ଇସ୍ରାଏଲ ଭାରତକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କ୍ଷେତ୍ରରେ ଆଗରେ ରହିଛନ୍ତି, ତେବେ ଏସିଆ ମହଦେଶରେ ଚୀନର ପ୍ରଭାବ ବୃଦ୍ଧି ପାଉଥିବାରୁ ତାକୁ ପ୍ରତିହତ କରିବା ପାଇଁ ୨୦୦୮-୨୦୧୨ରୁ ୨୦୧୩-୨୦୧୭ ମଧ୍ୟରେ ଆମେରିକା ଭାରତକୁ ତାର ଅସ୍ତ୍ରଶସ୍ତ୍ର ରପ୍ତାନୀରେ ୫୫୭ ପ୍ରତିଶତ ବୃଦ୍ଧିି କରିଛି। ଅପରପକ୍ଷେ ନିଜର ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷମତା ବୃଦ୍ଧି କରିଥିବା ଚୀନ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିୁଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଛି ଓ ପାକିସ୍ତାନ ହେଉଛି ଚୀନ ଅସ୍ତ୍ରଶସ୍ତ୍ର କିଣିବାରେ ସବୁଠାରୁ ଆଗରେ ଥିବା ଦେଶ, ଯିଏ ପ୍ରାୟ ୩୫ ପ୍ରତିଶସ୍ତ୍ର ଅସ୍ତ୍ରଶସ୍ତ୍ର କେବଳ ଚୀନରୁ ଆମଦାନୀ କରିଥାଏ।

ସମ୍ବନ୍ଧିତ ଖବର