ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ବିତୀୟ ଲହର ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଖୁବ କମ୍ ଦିନରେ ଦ୍ରୁତ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ହଠାତ ଉପରମୁହାଁ ହେବା କେବଳ ସରକାର ନୁହେଁ, ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଛି। ପ୍ରଥମେ କେବଳ ମହାରାଷ୍ଟ୍ରରେ ସୀମିତ ଥିବା କରୋନା ଏବେ ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ ଏବଂ ପଶ୍ଚିମ ବଙ୍ଗରେ ଭୟଙ୍କର ରୂପ ଧାରଣ କଲାଣି। ପରିସ୍ଥିତି ଏମିତି ହୋଇଛି ଯେ ଭାରତରେ ଆଜି ଦୈନିକ ସଂକ୍ରମଣ ମାମଲା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଦେଇଛି। ଦିନକରେ ୧,୮୪,୩୭୨ ଲୋକ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତର ଦୈନିକ ସଂକ୍ରମଣ ଏବେ ବିଶ୍ବରେ ସର୍ବାଧିକ ବୋଲି କୁହାଯାଉଛି।
କରୋନାରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଆମେଢ଼ରିକା ଏବଂ ବ୍ରାଜିଲ୍ରେ ସଂକ୍ରମଣ କମୁଥିବା ବେଳେ ଭାରତରେ ଲଗାତାର ୩୫ ଦିନ ଧରି ସକ୍ରିୟ ମାମଲା ବଢ଼ିଚାଲିଛି। ଏହାସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ଦେଶରେ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୦୨୭ ନୂଆ ମୃତ୍ୟୁ ସହ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧,୭୨,୦୮୫କୁ ବୃଦ୍ଧି ପାଇଛି।
ଦେଶରେ ମୋଟ୍ ସକ୍ରିୟ ମାମଲା ୧୩,୬୫,୭୦୪କୁ ବୃଦ୍ଧି ପାଇଛି। ଏହା ମୋଟ୍ ସଂକ୍ରମଣ ମାମଲାର ୯.୮୪ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୮୮.୯୨ ପ୍ରତିଶତକୁ ଖସି ଆସିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଥିବାବେଳେ ୨୮୧ କରୋନା ମୃତ୍ୟୁ ହୋଇଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ ଲଗାତାର ସଂକ୍ରମଣ ବଢ଼ି ଚାଲିଛି। ଉତ୍ତରପ୍ରଦେଶର ଦୈନିକ ସଂକ୍ରମଣ ଗତକାଲି ପ୍ରଥମ ଥର ପାଇଁ ୨୦ ହଜାର ଟପିଯାଇଛି।
ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ ଏବଂ କେରଳରେ ୮୨.୦୪ ପ୍ରତିଶତ ନୂଆ ଦୈନିକ ମାମଲା ରହିଛି। ଦେଶରେ ମୋଟ୍ ସକ୍ରିୟ ମାମଲାର ୬୮.୧୬ ପ୍ରତିଶତ କେବଳ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ କେରଳରୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ କେବଳ ମହାରାଷ୍ଟ୍ରରେ ୪୩.୫୪ ପ୍ରତିଶତ ସକ୍ରିୟ ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/corona-testing-bkk.jpg)