ନୂଆଦିଲ୍ଲୀ : ୟୁକ୍ରେନ ସଂକଟ ପ୍ରସଙ୍ଗରେ ଅତ୍ୟନ୍ତ ସତର୍କତାର ସହ ନିରପେକ୍ଷତା ଅବଲମ୍ବନ କରୁଛି ଭାରତ । ସାମରିକ ଶକ୍ତି ବଦଳରେ କୂଟନୈତିକ ଉପାୟରେ ସମସ୍ୟାର ସମାଧାନ ଉପରେ ଭାରତ ସରକାର ଗୁରୁତ୍ବ ଆରୋପ କରିଛନ୍ତି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଉଚ୍ଚସ୍ତରୀୟ ଆଲୋଚନା ଉପରେ ନଜର ରଖାଯାଇଛି ବୋଲି ଭାରତ କହିଛି ।
ଉଭୟ ଆମେରିକା ଓ ଋଷିଆ ସହ ଭାରତର ଘନିଷ୍ଠ ସଂପର୍କ ଥିବାରୁ ଭାରତ କୌଣସି ଗୋଟିଏ ପଟକୁ ଢଳିବାକୁ ଚାହୁଁନାହିଁ । କାରଣ ଏହା ଦ୍ବାରା ଭାରତର ଜାତୀୟ ହିତ ହିଁ ପ୍ରଭାବିତ ହେବ ।
ସାମରିକ ବିଶେଷଜ୍ଞଙ୍କ ମତରେ ୟୁକ୍ରେନ ସଂକଟ ଭାରତ ପାଇଁ ଏକ ଧର୍ମସଂକଟଠାରୁ କମ ନୁହେଁ । କାରଣ ଭାରତ ପାଇଁ ଗୋଟିଏ ପଟେ କୂଅ ଥିବାବେଳେ ଅନ୍ୟପଟେ ଖାଇ ରହିଛି । ସାମରିକ ସାମଗ୍ରୀ ପାଇଁ ଭାରତ ଋଷ ଉପରେ ସର୍ବାଧିକ ନିର୍ଭରଶୀଳ । ଭାରତୀୟ ସାମରିକ ଯନ୍ତ୍ରପାତିର ପ୍ରାୟ ୬୦ ପ୍ରତିଶତ ଋଷନିର୍ମିତ । ଅନ୍ୟପଟେ କେତେକ ଗୁରୁତ୍ବପୂର୍ଣ୍ଣ ସାମରିକ ଉପକରଣ ( ଯେପରିକି ଡ୍ରୋନ, ଗୁଇନ୍ଦା ବିମାନ, ଶୀତବସ୍ତ୍ର, ଲଢୁଆ ବିମାନ) ପାଇଁ ଭାରତ ଆମେରିକା ଓ ୟୁରୋପୀୟ ଦେଶଙ୍କ ଉପରେ ନିର୍ଭରଶୀଳ । ଏଣୁ ଏହି ଯୁଦ୍ଧରେ ଭାରତ ଗୋଟିଏ ପକ୍ଷଭୁକ୍ତ ହେବା ସହଜ ନୁହେଁ ।
ଅନ୍ୟପକ୍ଷରେ ଏହି ଯୁଦ୍ଧ ହେଲେ ଋଷିଆରୁ ୟୁରୋପକୁ ତେଲ ଓ ଗ୍ୟାସ ରପ୍ତାନି ବନ୍ଦ ହୋଇଯିବ । ଏହା ଫଳରେ ବିଶ୍ବରେ ତେଲ ଅଭାବ ଦେଖାଯିବ ଓ ତେଲ ଦର ଆହୁରି ବୃଦ୍ଧି ପାଇବ । ଏହା ଭାରତ ପାଇଁ ପରିସ୍ଥିତିକୁ ଜଟିଳ କରିବ ।