ଏବେ ଯଦି ଲୋକସଭା ନିର୍ବାଚନ ହୁଏ, ମୋଦୀ ବିପୁଳ ସଂଖ୍ୟାରେ ବିଜୟୀ ହେବେ: ‘ଇଣ୍ଡିଆ ଟିଭି’ ଜନମତ ସର୍ଭେ

୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ‘ଏନ୍‌ଡିଏ’ ୧୧ଟି, କଂଗ୍ରେସ ୨ଟି ଓ ବିଜେଡି ୮ଟି ଆସନରେ ବିଜୟୀ ହୋଇପାରନ୍ତି: ‘ଇଣ୍ଡିଆ ଟିଭି’ ସର୍ଭେ

ନୂଆଦିଲ୍ଲୀ: ଯଦି ଏବେ ଲୋକସଭା ନିର୍ବାଚନ କରାଯାଏ ତା’ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ‘ନ୍ୟାସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍‌ସ୍‌’ (ଏନ୍‌ଡିଏ) ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବ ବୋଲି ‘ଇଣ୍ଡିଆ ଟିଭି-ମାଟ୍ରାଇଜ୍‌ ନିଉଜ୍‌ କମ୍ୟୁନିକେସନ୍‌’ ଦେଶବ୍ୟାପୀ କରିଥିବା ଜନମତ ସର୍ବେକ୍ଷଣ କହିଛି।

ଲୋକସଭାର ସମୁଦାୟ ୫୪୩ଟି ଆସନରୁ ‘ଏନ୍‌ଡିଏ’ ୩୬୨ଟି ଆସନ ଅକ୍ତିଆର୍ କରିପାରିବ ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି।

‘ଦେଶ୍‌ କୀ ଆୱାଜ୍‌’ ବା ‘ଦେଶର ମତ’ ଶୀର୍ଷକ ଉକ୍ତ ସର୍ବେକ୍ଷଣର ଫଳାଫଳ ଶୁକ୍ରବାର ଅପରାହ୍ଣ ୪ଟାରେ ‘ଇଣ୍ଡିଆ ଟିଭି’ରେ ପ୍ରସାରିତ ହୋଇଥିଲା।

ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଏବେ ଯଦି ସାଧାରଣ ନିର୍ବାଚନ କରାଯାଏ ତେବେ, କଂଗ୍ରେସ ନେତୃତ୍ବାଧୀନ ‘ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଏନ୍‌ସ୍‌’ (ୟୁପିଏ) ମାତ୍ର ୯୭ଟି ଓ କ୍ଷୁଦ୍ର, ଆଞ୍ଚଳିକ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀମାନଙ୍କ ସମେତ ‘ଅନ୍ୟାନ୍ୟ’ ଦଳ ୮୪ଟି ଆସନ ପାଇବେ।

‘ଏନ୍‌ଡିଏ’ ୪୧%, ‘ଉପା’ ୨୮% ଏବଂ ‘ଅନ୍ୟାନ୍ୟ’ ୩୧% ଭୋଟ୍‌ ପାଇ ପାରନ୍ତି ବୋଲି ଉକ୍ତ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି।

୮୦ଟି ଲୋକସଭା ଆସନ ଥିବା ସବୁଠୁ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ‘ଏନ୍‌ଡିଏ’ ୭୬ଟି ଆସନ ହାସଲ କରିବାର ସମ୍ଭାବନା ଥିବା ବେଳେ ‘ଉପା’ ସମେତ ଅନ୍ୟାନ୍ୟ ଦଳ ମାତ୍ର ୨ଟି ଆସନରେ ବିଜୟୀ ହୋଇପାରନ୍ତି। ବିହାରର ସମୁଦାୟ ୪୦ଟି ଆସନରୁ ‘ଏନ୍‌ଡିଏ’ ୩୫ ଏବଂ ‘ଉପା’ ୫ଟି ଆସନରେ ବିଜୟୀ ହୋଇପାରେ।

Image Courtesy of India TV News

ସେହିପରି, ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ‘ଏନ୍‌ଡିଏ’ ୩୭ଟି ଏବଂ ‘ଅଣ-ବିଜେପି’ ମେଣ୍ଟ ବାକି ୧୧ଟି ଆସନରେ ବିଜୟୀ ହେବାର ସମ୍ଭାବନା ଅଛି।

ତାମିଲନାଡୁର ୩୯ଟି ଲୋକସଭା ଆସନରୁ ଶାସକ ‘ଡିଏମ୍‌କେ’ ନେତୃତ୍ବାଧୀନ ‘ଉପା’ ୩୮ଟି ଏବଂ ‘ଏନ୍‌ଡିଏ’ ୧ଟି ଆସନରେ ବିଜୟୀ ହୋଇପାରେ। ‘ଏଲ୍‌ଡିଏଫ୍‌’ ଶାସିତ କେରଳରେ ସମସ୍ତ ୨୦ଟିଯାକ ଆସନରେ ‘ଅଣ-ବିଜେପି’ ବିରୋଧୀଦଳ ବିଜୟ ଲାଭ କରିପାରେ।

ଏହାଛଡ଼ା, ‘ତୃଣମୂଳ କଂଗ୍ରେସ’ ଶାସିତ ପଶ୍ଚିମବଙ୍ଗର ସମୁଦାୟ ୪୨ଟି ଆସନରୁ ‘ତୃଣମୂଳ କଂଗ୍ରେସ’ ୨୬ଟି, ‘ଏନ୍‌ଡିଏ’ ୧୪ଟି ଏବଂ ‘ଉପା’ ୨ଟି ଆସନ ଜିଣି ପାରନ୍ତି। ଓଡ଼ିଶାର ସମୁଦାୟ ୨୧ଟି ଲୋକସଭା ଆସନରୁ ‘ଏନ୍‌ଡିଏ’ ୧୧ଟି, ‘ଉପା’ ୨ଟି ଏବଂ ‘ବିଜେଡି’ ସମତେ ଅନ୍ୟାନ୍ୟ ୮ଟି ଆସନରେ ବିଜୟ ହାସଲ କରିପାରନ୍ତି।

ପ୍ରଧାନମନ୍ତ୍ରୀ ଆସନରେ ପ୍ରଥମ ପସନ୍ଦ ଭାବେ ନରେନ୍ଦ୍ର ମୋଦୀଙ୍କୁ ୪୮%, ରାହୁଲ୍‌ ଗାନ୍ଧୀଙ୍କୁ ୧୧%, ମମତା ବାନାର୍ଜୀଙ୍କୁ ୮%, ସୋନିଆ ଗାନ୍ଧୀଙ୍କୁ ୭%, ମାୟାବତୀଙ୍କୁ ୬%, ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ୫%, ନୀତୀଶ କୁମାରଙ୍କୁ ୪%, କେ. ଚନ୍ଦ୍ରଶେଖର ରାଓଙ୍କୁ ୩% ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୨% ଚାହାଁନ୍ତି ବୋଲି ଜନସାଧରଣ ମତ ଦେଇଛନ୍ତି।

ମୋଦୀଙ୍କର ଟାଣୁଆ ରାଜନୈତି ପ୍ରତିଦ୍ବନ୍ଦ୍ବୀ କିଏ ବୋଲି ପଚରାଯିବାରୁ ୨୩% ଜନତା ରାହୁଲ୍‌ ଗାନ୍ଧୀ ବୋଲି କହିଥିବା ବେଳେ ୧୯% ଅରବିନ୍ଦ କେଜ୍ରିୱାଲ୍‌ ବୋଲି କହିଛନ୍ତି। ମୋଦୀଙ୍କର ଅନ୍ୟାନ୍ୟ ଟାଣୁଆ ରାଜନୈତି ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଅଛନ୍ତି ମମତା ବାନାର୍ଜୀ (୧୧%), ନୀତୀଶ କୁମାର (୮%) ଏବଂ ସୋନିଆ ଗାନ୍ଧୀ (୮%) ବୋଲି ଜନସାଧରଣ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର