ଶ୍ରୀଲଙ୍କା ସଂକଟ ମଧ୍ୟରେ ସୀମାରେ ସତର୍କତାକୁ ବଢାଇଲା ଭାରତ, ଅତିରିକ୍ତ ଜାହାଜ ମୁତୟନ

ନୂଆଦିଲ୍ଲୀ : ଶ୍ରୀଲଙ୍କାର ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ଭାରତ ସରକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ଭାରତକୁ ଯେପରି ଶରଣାର୍ଥୀଙ୍କ ସୁଅ ନ ଛୁଟେ ସେଥିପାଇଁ ଭାରତ ସରକାର ନିଜର ଜଳସୀମାରେ ପ୍ରହରାକୁ ବଢାଇଦେଇଛନ୍ତି । ଉଭୟ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଅତିରିକ୍ତ ଜାହାଜ ଓ ବିମାନ ମାଧ୍ୟମରେ ନଜର ରଖାଯାଇଛି । ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଥିବା ପାକ୍ ପ୍ରଣାଳୀ ଉପରେ କୋଷ୍ଟଗାର୍ଡର ଡୋନିଆର ବିମାନ ଉଡ଼ି ସ୍ଥିତି ଉପରେ ନଜର ରଖୁଛି ।

ସେହିପରି ତାମିଲନାଡୁ ଓ କେରଳର ଉପକୂଳ ପୁଲିସକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀଲଙ୍କାରୁ ଶରଣାର୍ଥୀମାନେ ଭାରତ ଆସିପାରନ୍ତି ବୋଲି ଗୁଇନ୍ଦା ସୁଚନା ମିଳିବା ପରେ ସତର୍କତା ସ୍ତରକୁ ବଢାଇଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏହାଫଳରେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି । ଗତ ସପ୍ତାହରେ ଉଗ୍ର ଜନତା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଥିଲେ । ଏହା ପୂର୍ବରୁ ଗୋଟାବାୟା ଫେରାର ହୋଇଯାଇଥିଲେ । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ସରକାର ବାସଭବନରେ ନିଆଁ ଲଗାଇଦେଇଥିଲେ ।

 

ସମ୍ବନ୍ଧିତ ଖବର