ନୂଆଦିଲ୍ଲୀ: ବହୁପକ୍ଷବାଦ ପ୍ରତି ଭାରତର ଦୃଢ଼ ସମର୍ଥନ ଥିବା କଥା ପ୍ରକାଶ କରିବା ସହ ‘ଜାତିସଂଘ ନିରାପତ୍ତା ପରିଷଦ’କୁ ଏକ ଆବଶ୍ୟକତା ବୋଲି ଦର୍ଶାଇ ମଙ୍ଗଳବାର ଦିନ ‘ବ୍ରିକ୍ସ୍’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ପ୍ରତିଷ୍ଠାନ ଚାପରେ ରହିଛି।
‘ବ୍ରିକ୍ସ’ର ସଦସ୍ୟ ରାଷ୍ଟ୍ରମାନଙ୍କୁ ସେ କହିଲେ, ଏହି ବୈଶ୍ବିକ ଅନୁଷ୍ଠାନର ଖ୍ୟାତି ଏବଂ ପ୍ରଭାବନୀୟତା ଉପରେ ସନ୍ଦେହ ହେଉଛି। ଏହାର କାରଣ ହେଉଛି, ସମୟ ଅତିକ୍ରାନ୍ତ ହେବା ସତ୍ତ୍ବେ ଏହି ପ୍ରତିଷ୍ଠାନରେ କୌଣସି ପରିବର୍ତ୍ତନ ହେଉନାହିଁ। ଏହି ପ୍ରତିଷ୍ଠାନ ୭୫ ବର୍ଷ ପୂର୍ବ ବିଶ୍ବର ମାନସିକତା ଏବଂ ବାସ୍ତବତାକୁ ପ୍ରତିଫଳନ କରୁଛି।
ପାଳି ଅନୁସାରେ ଆସୁଥିବା ଜାତିସଂଘ ନିରାପତ୍ତା ପରିଷଦ୍ର ୧୦ଟି ଅସ୍ଥାୟୀ ଆସନରୁ ଗୋଟିକରେ ଆସନ୍ତା ଜାନୁଆରି ମାସରେ ଭାରତ ଅଧିଷ୍ଠିତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ଦୁଇ ବର୍ଷିଆ ପାଳିରେ ‘ସଂସ୍କାରଯୁକ୍ତ ବହୁପକ୍ଷବାଦ’ ଉପରେ ଆମର ପ୍ରମୁଖ ଧ୍ୟାନ ରହିବ ବୋଲି ଭାରତ ଘୋଷଣା କରିଛି।
/sambad/media/post_attachments/wp-content/uploads/2020/11/pm1.jpg)
ସେହିଭଳି, ଆତଙ୍କବାଦ ବିଶ୍ବ ପାଇଁ ବଡ଼ ବିପଦ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପାକିସ୍ତାନ ଏବଂ ଚୀନ୍କୁ ଉଦ୍ଦେଶ୍ୟ କରି ସେ ପରୋକ୍ଷ ଭାବେ ଏହି ମନ୍ତବ୍ୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ କି, ଜାତିସଂଘ ପ୍ରତି ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଟିଏସ୍ ତିରୁମୂର୍ତ୍ତି ଏ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦ୍ ବୈଠକରେ କହିଥିଲେ, ଆଜିର ନିରାପତ୍ତା ପରିଷଦ୍ ହେଉଛି ଏକ ଦୁର୍ବଳି ପ୍ରତ୍ୟଙ୍ଗ। ପ୍ରତିନିଧିତ୍ବ ନ ଥିବା ସ୍ବଭାବରୁ ଏହା ବିଶ୍ବସନୀୟତାର ସହ କାର୍ଯ୍ୟ କରିବାକୁ ଅସମର୍ଥ। କିନ୍ତୁ, ‘ଇଣ୍ଟର୍ଗଭର୍ଣ୍ଣମେଣ୍ଟାଲ୍ ନେଗୋସିଏସନ୍ସ୍’ ପ୍ରକ୍ରିୟା ମଧ୍ୟରେ କ’ଣ ହେଉଛି? ଏହା ଜାତିସଂଘ ନିରାପତ୍ତା ପରିଷଦ୍ରେ ସଂସ୍କାର ଆଣିବାକୁ ୨୦୦୯ରେ ଗଠିତ ହୋଇଥିଲେ ବି କୌଣସି ଅଗ୍ରଗତି କରିନାହିଁ।
ଚୀନ୍ ଭଳି କେତେକ ଦେଶର ବିରୋଧ ଯୋଗୁଁ ଜାତିସଂଘ ନିରାପତ୍ତା ପରିଷଦ୍ର ସଦସ୍ୟତା ସମ୍ପ୍ରସାରଣ ହୋଇପାରୁନାହିଁ। ନିରାପତ୍ତା ପରିଷଦ୍ରେ ସ୍ଥାୟୀ ଆସନ ପାଇବାକୁ ଭାରତ, ଜର୍ମାନି, ଜାପାନ ଏବଂ ବ୍ରାଜିଲ୍ ବର୍ଷ ବର୍ଷ ଧରି ଉଦ୍ୟମ କରି ମଧ୍ୟ ବିଫଳ ହେଉଛନ୍ତି। ଏଥିରେ ଭାରତକୁ କେତେକ ରାଷ୍ଟ୍ର ସମର୍ଥନ କରୁଥିଲେ ବି ବାରମ୍ବାର ଚୀନ୍ ମାନି ନ ହେବା ଭଳି ସର୍ତ୍ତ ଉପସ୍ଥାପନ କରୁଛି।