ୱାଶିଂଟନ: ଆଫଗାନିସ୍ତାନରେ ରିଲିଫ କାର୍ଯ୍ୟ ଚଳାଇବା ପାଇଁ ଜାତିସଂଘ ଓ ଏହାର ସ୍ବତନ୍ତ୍ର ସଂସ୍ଥାଗୁଡ଼ିକୁ ଦେଶରେ ସମ୍ପୂର୍ଣ୍ଣ, ନିରାପଦ, ସିଧାସଳଖ ଓ ବାଧାରହିତ ପ୍ରବେଶ ଅନୁମତି ଦେବା ଲାଗି ଶନିବାର ଭାରତ ଓ ଆମେରିକା ତାଲିବାନକୁ ଆହ୍ବାନ ଦେଇଛନ୍ତି। ଉଭୟ ଦେଶ ତାଲିବାନ ସରକାରକୁ ନାରୀ, ଶିଶୁ ଓ ସଂଖ୍ୟାଲଘୁ ସମେତ ସମସ୍ତ ଆଫଗାନଙ୍କ ମାନବାଧିକାରର ସୁରକ୍ଷା ନିମେନ୍ତ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ କହିଛନ୍ତି। ଏଥି ସହ ସେମାନେ ଆଫଗାନିସ୍ତାନର ସୀମାଭୁକ୍ତ କୌଣସି ଅଞ୍ଚଳକୁ ଯେପରି ପୁନଶ୍ଚ ଅନ୍ୟ ଦେଶକୁ ଆକ୍ରମଣ କରିବା ଲାଗି ଆତଙ୍କବାଦୀମାନଙ୍କୁ ତାଲିମ ଦେବା ବା ଆଶ୍ରୟ ଦେବା ବା କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ବ୍ୟବହାର କରା ନ ଯାଏ ସେଥିପ୍ରତି ନଜର ରଖିବାକୁ କହିଥିଲେ। ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତିଗତ ଦ୍ବିପାକ୍ଷିକ ଆଲୋଚନା ହେବା ପରେ ଦୁଇ ଦେଶର ଯୁଗ୍ମ ବିବୃତି ପ୍ରକାଶ ପାଇଥିଲା।
ଆଫଗାନିସ୍ତାନରେ ଆତଙ୍କବାଦ-ବିରୋଧୀ ଲଢ଼େଇ ଉପରେ ଦୁଇ ନେତା ଗୁରୁତ୍ବ ଦେଇଥିଲେ। ଦୁଇ ନେତା ନିଷ୍ପତ୍ତି ନେଇଥିଲେ ଯେ, ତାଲିବାନ ୟୁଏନ୍ଏସ୍ସି ରିଜଲ୍ୟୁସନ ୨୫୯୩ (୨୦୨୧) ମାନିବାକୁ ବାଧ୍ୟ, ଯେଉଁଥିରେ ଉଲ୍ଲେଖ ଅଛି ଯେ, ସେମାନେ ଆଉ ଆଫଗାନିସ୍ତାନ ମାଟିକୁ ଆତଙ୍କବାଦ ଲାଗି ବ୍ୟବହାର କରିବେ ନାହିଁ। ସେମାନେ ଦେଶୀ ବା ବିଦେଶୀ ଆତଙ୍କବାଦୀଙ୍କୁ ତାଲିମ ଦେବେ ନାହିଁ, ଅସ୍ତ୍ରଶସ୍ତ୍ର ଦେବେ ନାହିଁ, ଆର୍ଥିକ ସହଯୋଗ କରିବେ ନାହିଁ, ଆଶ୍ରୟ ଦେବେ ନାହିଁ ବା ପ୍ରଶ୍ରୟ ଦେବେ ନାହିଁ। ଜାତିସଂଘ ସୁରକ୍ଷା ପରିଷଦରେ ଅଗଷ୍ଟ ମାସରେ ଏହି ରିଜଲ୍ୟୁସନ ଗୃହୀତ ହୋଇଥିଲା। ଦୁଇ ନେତା ଆଫଗାନିସ୍ତାନରେ ନାରୀ, ଶିଶୁ ଓ ସଂଖ୍ୟାଲଘୁ ସମେତ ସମସ୍ତ ଦେଶବାସୀଙ୍କ ମାନବାଧିକାରର ସୁରକ୍ଷା ଲାଗି ଦେଇଥିବା ନିଜର ପ୍ରତିଶ୍ରୁତି ପାଳନ କରିବା ଲାଗି ତାଲିବାନଙ୍କୁ ଆହ୍ବାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/india-us-flag.jpg)