ଓ୍ବାସିଂଟନ : ୨୦୨୪ ପାଇଁ ଭାରତ ଓ ଆମେରିକା ମିଳିତ ମହାକାଶଚାରୀ ଅଭିଯାନ ଘୋଷଣା କରିଛନ୍ତି। ଭାରତ ଆର୍ଟେମିସ୍ ଚୁକ୍ତିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ମହାକାଶ ଏଜେନ୍ସି ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଏକ ମିଳିତ ମିଶନ ପଠାଇବାକୁ ରାଜି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଚାଲିଥିବାବେଳେ ଆମେରିକା ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି ।

Advertisment

ଆର୍ଟେମିସ୍ ଚୁକ୍ତି ବେସାମରିକ ମହାକାଶ ଗବେଷଣା କ୍ଷେତ୍ରରେ ସମଭାବାପନ୍ନ ଦେଶମାନଙ୍କୁ ଏକାଠି କରିଥାଏ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଓଭାଲ୍ ଅଫିସ୍ ବୈଠକର କିଛି ଘଣ୍ଟା ପୂର୍ବରୁ ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହାକାଶ ପ୍ରସଙ୍ଗରେ ଆମେ ଘୋଷଣା କରିବାକୁ ଯାଉଛୁ ଯେ ଭାରତ ଆର୍ଟେମିସ୍ ଚୁକ୍ତି ସ୍ୱାକ୍ଷର କରୁଛି, ଯାହା ମାନବଜାତିର କଲ୍ୟାଣ ପାଇଁ ମହାକାଶ ଅନୁସନ୍ଧାନ ପାଇଁ ଏକ ଅଂଶୀଦାର ଦୃଷ୍ଟିକୋଣକୁ ଆଗକୁ ବଢ଼ାଉଛି ।

୨୦୨୫ ସୁଦ୍ଧା ଚନ୍ଦ୍ରକୁ ପୁଣି ଥରେ ମଣିଷ ପଠାଇବା ପାଇଁ ଆମେରିକା ନେତୃତ୍ବାଧୀନ ପ୍ରୟାସ, ଯାହାର ଲକ୍ଷ୍ୟ ହେଉଛି ମଙ୍ଗଳ ଗ୍ରହ ଓ ଅନ୍ୟ ଗ୍ରହକୁ ମହାକାଶ ଗବେଷଣା କରିବା। ନାସା ଏବଂ ଇସ୍ରୋ ଚଳିତ ବର୍ଷ ମାନବବାହୀ ମହାକାଶ ଉଡ଼ାଣ ପାଇଁ ଏକ ରଣନୀତିକ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି। ଏହାବ୍ୟତୀତ ନାସା ଓ ଇସ୍ରୋ ମଧ୍ୟ ୨୦୨୪ରେ ଆଇଏସ୍ଏସକୁ ମିଳିତ ଅଭିଯାନ ପାଇଁ ରାଜି ହୋଇଛନ୍ତି ।