ସୀମା ସେପଟେ ଚୀନ କରୁଛି ଭୟଙ୍କର ଯୁଦ୍ଧାଭ୍ୟାସ, ଏପଟେ ଭାରତ-ଆମେରିକା କରିବେ ମହା ସମରାଭ୍ୟାସ

ନୂଆଦିଲ୍ଲୀ : ତିବ୍ଦତରେ  ଭାରତକୁ ଲାଗିଥିବା ସୀମାରେ ଚୀନ ଏବେ ଏକ ଭୟଙ୍କର ଯୁଦ୍ଧାଭ୍ୟାସ ଚଳାଇଛି । ଏହି ଅଭ୍ୟାସରେ ଚୀନ କେତେକ ମାରାତ୍ମକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଚଳାଇଛି । ଭାରତ ସହ ଯୁଦ୍ଧ ପରିସ୍ଥିତି ଉପୁଜିଲେ ଚୀନ ସେନାଙ୍କ ଏହି ଅଭ୍ୟାସ କାମ ଦେବ । ସୀମା ଏପଟେ ଭାରତ ମଧ୍ୟ ଚୁପ ହୋଇ ବସିନାହିଁ । କାରଣ ଭାରତ ଚୀନ ଉପରେ ଭରଷା କରିପାରୁନାହିଁ । ଏଥିପାଇଁ ଭାରତ ଆମେରିକା ସେନା ସହ ମିଶି ସେପ୍ଟେମ୍ବର ୧୬ ତାରିଖରୁ ଏକ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ଏହାର ନାଁ ରଖାଯାଇଛି ଯୁଦ୍ଧାଭ୍ୟାସ ୨୦୧୮ । ଏଥିରେ ଭାରତୀୟ ସେନାର ଅଜେୟ ଗରୁଡ଼ ଫୋର୍ସର କମାଣ୍ଡୋମାନେ ଯୋଗ ଦେବେ । ସେହିପରି ଆମେରିକା ସେନାର ପ୍ରାୟ ୩୫୦ କମାଣ୍ଡୋ ଯୋଗ ଦେଇ ହିମାଳୟର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିବେ । ବିଗତ କିଛି ବର୍ଷ ଧରି ଏହି ଯୁଦ୍ଧାଭ୍ୟାସ ଚାଲିଆସୁଥିବାବେଳେ ଏବର୍ଷର ସମୟ ବେଶ ଗୁରୁତ୍ୱବହନ କରୁଛି । ଏହାର କାରଣ ହେଉଛି ସୀମା ସେପଟେ ଚୀନର ଅଭ୍ୟାସ । ଏଣୁ ଭାରତ-ଆମେରିକା ଏହି ଯୁଦ୍ଧାଭ୍ୟାସ କରି ଚୀନକୁ ଏକ କଡା ସଂକେତ ଦେବାକୁ ଚାହୁଁଛନ୍ତି ।

 

ସମ୍ବନ୍ଧିତ ଖବର