ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେବାର ଥିଲା। ସେ ଏପର୍ଯ୍ୟନ୍ତ ଟ୍ରମ୍ପଙ୍କୁ କଲ୍ କରିନାହାନ୍ତି। କଲ୍ କରିଥିଲେ ବହୁତ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଟ୍ରେଡ୍ ଡିଲ୍ ହୋଇସାରନ୍ତାଣି। ଏଭଳି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲଟନିକ୍। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ସେ ଏହି ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ନଥିବାରୁ ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟ ଚୁକ୍ତି ଦୀର୍ଘ ଦିନ ଧରି ଅଟକି ରହିଛି। ବାଣିଜ୍ୟ ଚୁକ୍ତି ଅଟକି ରହିବାର ବଡ଼ କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ଟ୍ରମ୍ପଙ୍କୁ ଫୋନ୍ ନକରିବା।

Advertisment

ଭାରତ ସରକାର କଥା ହେବାକୁ ରାଜି ନଥିଲେ

ଏକ ସାକ୍ଷାତକାରରେ ଲଟନିକ୍ ଦାବି କରିଛନ୍ତି ଯେ, ବାଣିଜ୍ୟ ଚୁକ୍ତିର ସମ୍ପୂର୍ଣ୍ଣ ରୂପରେଖା ପ୍ରସ୍ତୁତ ଥିଲା। କିନ୍ତୁ ଏହାକୁ ଚୂଡ଼ାନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ମାଧ୍ୟମରେ କଥା ହେବାର ଥିଲା। ଭାରତ ସରକାର ଏଥିପାଇଁ ରାଜି ନଥିବାରୁ ଟ୍ରେଡ୍ ଡିଲ୍ ହୋଇପାରିଲା ନାହିଁ। ମୋଦୀ ଫୋନ୍ ନକରିବାରୁ ଆମେ ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଭିଏତନାମ ସହିତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲୁ।'

୫୦୦%ଟାରିଫ୍ ଲଗାଇବେ ଟ୍ରମ୍ପ

ଏମଧ୍ୟରେ ଟ୍ରମ୍ପ ଭାରତ ଉପରେ ୫୦୦ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇସାରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ୍ ମଞ୍ଜୁର କରିଛନ୍ତି ଯାହା ଋଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର କଟକଣା ଲଗାଇବ । ଏହା ଭାରତ ଏବଂ ଚୀନ୍ ଉପରେ ଆମେରିକାର ଶୁଳ୍କରେ ଯଥେଷ୍ଟ ବୃଦ୍ଧି ଆଣିପାରେ, କିଛି କ୍ଷେତ୍ରରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ । ୟୁକ୍ରେନ ବିବାଦ ମଧ୍ୟରେ ଋଷ ଉପରେ ଚାପ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: Attack Constable Loot ପୁଲିସ କନେଷ୍ଟବଳଙ୍କ ବୃଦ୍ଧା ମାଆଙ୍କୁ ଭୁଜାଲିରେ ଆକ୍ରମଣ କଲେ, ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ