ୱାସିଂଟନ/ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ୨୫ ପ୍ରତିଶତ ପାଲଟା ଶୁଳ୍କ ଟ୍ରମ୍ପ ରୁଷ୍‌ରୁ ତେଲ କିଣୁଥିବା ଅଭିଯୋଗରେ ଆଉ ୨୫ ପ୍ରତିଶତ ଶୁଳ୍କ ଭାରତ ପାଇଁ ଘୋଷଣା କରିଛନ୍ତି। ୫୦ ପ୍ରତିଶତ ଶୁଳ୍କ ଲଦିବା ପରେ ଭାରତ ଏବଂ ଆମେରିକା ମଧ୍ୟରେ ଦୀର୍ଘଦିନ ହେଲା ଚାଲିଥିବା ବାଣିଜ୍ୟ ଆଲୋଚନା ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ଶୁଳ୍କ ପ୍ରସଙ୍ଗର ସମାଧାନ ନହେବା ପର୍ଯ୍ୟନ୍ତ ବାଣିଜ୍ୟ ଆଲୋଚନା ହେବ ନାହିଁ ବୋଲି ସେ ଆଭାସ ଦେଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଅଧିକ ବାଣିଜ୍ୟ ଆଲୋଚନା ସଂପର୍କରେ ପ୍ରଶ୍ନ ହେବାରୁ ‌ଟ୍ରମ୍ପ କହିଛନ୍ତି ଶୁଳ୍କ ପ୍ରସଙ୍ଗର ସମାଧାନ ନହେବା ଯାଏ ଏହା ହେବନାହିଁ। 
ଉଲ୍ଲେଖଯୋଗ୍ୟ, ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ପାଇଁ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ୫ଟି ପର୍ଯ୍ୟାୟ ଆଲୋଚନା ହୋଇସାରିଲାଣି। କିନ୍ତୁ ଏ ନେଇ କୌଣସି ନିର୍ଯ୍ୟାସ ବର୍ତ୍ତମାନ ସୁଦ୍ଧା ବାହାରି ପାରିନାହିଁ। ଚଳିତମାସରେ ଆମେରିକାର ପ୍ରତିନିଧିମଣ୍ଡଳୀ ଭାରତ ଆସିବେ ଏବଂ ଦୁଇ ଦେଶ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏତଦ୍‌ବ୍ୟତୀତ ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଦିବା ପରେ ନୂଆଦିଲ୍ଲୀ ୱାସିଂଟନଠାରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟକୁ ବନ୍ଦ ରଖିଛି ବୋଲି ରଏଟର୍ସ ରିପୋର୍ଟ ପ୍ରକାଶ କରିଥିଲା। ଏଥିସହିତ ନିକଟ ଭବିଷ୍ୟତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ୱାସିଂଟନ ଗସ୍ତକୁ ମଧ୍ୟ ବାତିଲ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଥିଲା। କିନ୍ତୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେହି ରିପୋର୍ଟକୁ ମିଛ ଓ ମନଗଢ଼ା ବୋଲି କୁହାଯାଇଛି। ଆମେରିକା ସହିତ ପ୍ରତିରକ୍ଷା ସାମଗ୍ରୀ କ୍ରୟ ନେଇ ହୋଇଥିବା ରାଜିନାମାଗୁଡ଼ିକ ବଳବତ୍ତର ରହିଛି ବୋଲି କୁହାଯାଇଛି। 
ଅନ୍ୟପକ୍ଷରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଆମେରିକା ସହିତ ବହୁ ଦେଶ ସହିତ ଭାରତର ବାଣିଜ୍ୟ ରାଜିନାମା ସଂକ୍ରାନ୍ତ ଆଲୋଚନା ଜାରି ରହିଛି। ଓମାନ, ୟୁରୋପୀୟ ସଂଘ, ଯୁକ୍ତରାଷ୍ଟ୍ର ଆମେରିକା, ଚିଲି, ପେରୁ, ନ୍ୟୁଜିଲାଣ୍ଡ ସହିତ ଆଲୋଚନା ଚାଲିଛି ବୋଲି ବିଜ୍‌ନେସ୍‌ ଟୁଡେ ଇଣ୍ଡିଆ@ ୧୦୦ କାର୍ଯ୍ୟକ୍ରମରେ ଯୋଗଦେଇ ଗୋୟଲ କହିଛନ୍ତି। ଅନେକ ଦେଶ ଭାରତ ସହିତ ବାଣିଜ୍ୟ କରିବା ନେଇ ଆଗ୍ରହୀ ଅଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଭାରତର ରପ୍ତାନି ଅଧିକ ରହିବ ବୋଲି ଗୋୟଲ ଦୃଢ଼ୋକ୍ତି ବାଢ଼ିଛନ୍ତି। ୨୦୨୪-୨୫ରେ ଭାରତର ସାମଗ୍ରୀ ଓ ସେବା ରପ୍ତାନି ୮୨୫ ବିଲିଅନ ଡଲାର ରହିଥିଲା।