ଭାରତ ଓ ଆମେରିକା ମଧ୍ୟରେ ନିବେଶ ପ୍ରୋତ୍ସାହନ ରାଜିନାମା

ନୂଆଦିଲ୍ଲୀ: ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ମଧ୍ୟରେ ଆଜି ଜାପାନର ଟୋକିଓଠାରେ ନିବେଶ ପ୍ରୋତ୍ସାହନ ରାଜିନାମା (ଆଇଆଇଏ) ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା (ଆଇଆଇଏ)ରେ ଭାରତର ବିଦେଶ ସଚିବ ବିନୟ କ୍ୱାତ୍ରା ଓ ୟୁଏସ୍‌ ଇଣ୍ଟରନାସନାଲ ଡେଭଲପ୍‌ମେଣ୍ଟ ଫାଇନାନ୍‌ସ କର୍ପୋରେସନ (ଡିଏଫ୍‌ସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍କଟ୍‌ ନାଥନ ସ୍ୱାକ୍ଷର କରିଛନ୍ତି।

ଏହି ନିବେଶ ରାଜିନାମା (ଆଇଆଇଏ) ୧୯୯୭ରେ ଭାରତ ସରକାର ଓ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିବା ନିବେଶ ପ୍ରୋତ୍ସାହନ ରାଜିନାମାର ସ୍ଥାନ ନେବ । ପୂର୍ବରୁ ୧୯୯୭ରେ ନିବେଶ ପ୍ରୋତ୍ସାହନ ରାଜିନାମା (ଆଇଆଇଏ) ସ୍ୱାକ୍ଷରିତ ହେବା ପରଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ପରିଲକ୍ଷିତ ହୋଇଥିଲା । ଯେଉଁଥିରେ ଡିଏଫ୍‌ସି ନାମରେ ଏକ ନୂଆ ଏଜେନ୍ସି ଗଠନ ମଧ୍ୟ ସାମିଲ ଥିଲା। ଡିଏଫ୍‌ସି ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଏକ ବିତ୍ତ ବିକାଶ ଏଜେନ୍ସି ଓ ଏହାର ଗଠନ ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟ ପ୍ରଣୀତ ନିୟମ, ବିଲ୍ଡ ଆକ୍ଟ ୨୦୧୮ର ଅଧିନିୟମ ପରେ ପୂର୍ବବର୍ତ୍ତୀ ବିଦେଶ ଘରୋଇ ନିବେଶ ନିଗମ (ଓପିଆଇସି)ର ଉତ୍ତରାଧିକାରୀ ଏଜେନ୍ସି ଭାବେ ହୋଇଥିଲା । ଋଣ, ଇକ୍ୱିଟି ନିବେଶ, ନିବେଶ ଗ୍ୟାରେଣ୍ଟି, ନିବେଶ ବୀମା କିମ୍ବା ପୁନଃବୀମା, ସମ୍ଭାବ୍ୟ ପ୍ରକଳ୍ପ ଓ ଅନୁଦାନ ପାଇଁ ସମ୍ଭାବ୍ୟତା ଅଧ୍ୟୟନ ତଥା ଡିଏଫ୍‌ସି ଦ୍ୱାରା ପ୍ରସ୍ତାବିତ ଅତିରିକ୍ତ ନିବେଶ ସହାୟତା କାର୍ଯ୍ୟକ୍ରମଗୁଡ଼ିକ ସହିତ ସମନ୍ୱୟ ବଜାୟ ରଖିବା ପାଇଁ ଏହି ନିବେଶ ପ୍ରୋତ୍ସାହନ ରାଜିନାମା ସ୍ୱାକ୍ଷରିତ ହୋଇଛି।

ଭାରତରେ ନିବେଶ ସହାୟତା ପ୍ରଦାନ ଜାରି ରଖିବା ପାଇଁ ଡିଏଫ୍‌ସି ପାଇଁ ରାଜିନାମା ଏକ ଆଇନଗତ ଆବଶ୍ୟକତା। ଡିଏଫ୍‌ସି କିମ୍ବା ଏହାର ପୂର୍ବ ଏଜେନ୍ସିଗୁଡ଼ିକ ଭାରତରେ ୧୯୭୪ରୁ ସକ୍ରିୟ ରହି ଏଯାବତ ୫.୮ ବିଲିୟନ ଡଲାର ନିବେଶ ସହାୟତା ପ୍ରଦାନ କରି ସାରିଛନ୍ତି, ଯେଉଁଥିରୁ ୨.୯ ବିଲିୟନ ଡଲାର ଏବେ ବି ବକେୟା ରହିଛି । ଭାରତରେ ନିବେଶ ସହାୟତା ପ୍ରଦାନ କରିବା ପାଇଁ ଡିଏଫସି ନିକଟରେ ୪ ବିଲିୟନ ଡଲାରର ପ୍ରସ୍ତାବ ବିଚାରାଧୀନ ରହିଛି । ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯେପରିକି କୋଭିଡ- ୧୯ ଭ୍ୟାକ୍ସିନ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିତ୍ତପୋଷଣ, ନବୀକରଣଯୋଗ୍ୟ ଶକ୍ତି, ଏସ୍‌ଏମ୍‌ଇ ବିତ୍ତପୋଷଣ, ବିତ୍ତୀୟ ଅନ୍ତର୍ଭୁକ୍ତି, ଭିତ୍ତିଭୂମି ଆଦି କ୍ଷେତ୍ରରେ ଡିଏଫ୍‌ସି ନିବେଶ ସହାୟତା ପ୍ରଦାନ କରିଛି। ଏହି ନିବେଶ ପ୍ରୋତ୍ସାହନ ରାଜିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତରେ ଡିଏଫ୍‌ସି ଦ୍ୱାରା ପ୍ରଦାନ କରାଯାଉଥିବା ନିବେଶ ସହାୟତା ବୃଦ୍ଧି ପାଇବ ଫଳରେ ଭାରତର ବିକାଶକୁ ଆହୁରି ଆଗେଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର