ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଆମେରିକା ଅଭିମୁଖେ ବାହାରିଛି | ତେବେ ମୋଦୀଙ୍କ ବିମାନ ଆମେରିକା ଯିବା ସମୟରେ ପାକିସ୍ତାନର ଆକାଶ ସୀମାକୁ ବ୍ୟବହାର କରିଛି | ଆଫଗାନିସ୍ତାନ ଦେଇ ନ ଯିବା ପାଇଁ ମୋଦୀଙ୍କ ବିମାନ ପାକିସ୍ତାନ ଆକାଶ ଦେଇ ଯାଇଥିବାର କୁହାଯାଇଛି | ସୂତ୍ର ଅନୁଯାୟୀ, ଆମେରିକା ଯିବା ପାଇଁ ପାକିସ୍ତାନର ଆକାଶ ସୀମା ବ୍ୟବହାର କରିବାକୁ ଭାରତ ପାକିସ୍ତାନର ଅନୁମତି ଲୋଡିଥିଲା । ଆଉ ଇସଲାମାବାଦ ଏଥିରେ ରାଜି ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ ପାଇଁ ପାକିସ୍ତାନ ତିନିଥର ଆକାଶପଥ ବ୍ୟବହାର କରିବାକୁ ମନା କରିଦେଇଥିଲା।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଏବଂ ଜର୍ମାନୀ ଗସ୍ତ, ରାଷ୍ଟ୍ରପତି କୋବିନ୍ଦଙ୍କ ଆଇସଲ୍ୟାଣ୍ଡ ଗସ୍ତ ସମୟରେ ଆକାଶପଥ ବ୍ୟବହାର କରିବାକୁ ଇସଲାମାବାଦ ଅନୁମତି ଦେଇ ନଥିଲା। ୨୦୧୯ ମସିହାରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଥିଲା ଯେ ଜମ୍ମୁ-କଶ୍ମୀରରେ ଭାରତର ଆଚରଣ ଏବଂ ଅତ୍ୟାଚାର ଯୋଗୁଁ ଆମେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନକୁ ପାକିସ୍ତାନର ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଇପାରିବୁ ନାହିଁ । ତେବେ ଚଳିତ ବର୍ଷ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶ୍ରୀଲଙ୍କା ଗସ୍ତ ସମୟରେ ଭାରତର ଆକାଶପଥ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ | ଆଉ ଭାରତ ଏହାର ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ କେଉଁଠାରେ ବି ନ ଅଟକି ୧୫ ଘଣ୍ଟା ମଧ୍ୟରେ ଆମେରିକାରେ ପହଞ୍ଚିବ। ଯେହେତୁ ଏହି ବିମାନ ଆଫଗାନିସ୍ତାନ ଆକାଶପଥ ବ୍ୟବହାର କରିବ ନାହିଁ, ତେଣୁ ଆମେରିକାରେ ପହଞ୍ଚିବାକୁ ଟିକିଏ ଅଧିକ ସମୟ ଲାଗିବ | ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ବାଣିଜ୍ୟିକ ବିମାନ ପାଇଁ ଏୟାର ସ୍ପେସ୍ ବନ୍ଦ ରହିଛି। ଯଦିଓ ଭିଭିଆଇପି ବିମାନକୁ ଯିବାକୁ ଅନୁମତି ଦିଆଯାଇଛି କିନ୍ତୁ ସୁରକ୍ଷା କାରଣରୁ ମୋଦୀଙ୍କ ବିମାନ ଏହି ମାର୍ଗ ଦେଇ ଯାଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କ ସହ ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ମଧ୍ୟ ଯାଇଛନ୍ତି |