ଚୀନ୍‌କୁ କୂଟନୈତିକ ଆଘାତ ଦେବା ପାଇଁ ଜାତିସଂଘରେ ହଙ୍ଗ୍‌କଙ୍ଗ୍‌ ପ୍ରସଙ୍ଗ ଉଠାଇଛି ଭାରତ

ନୂଆଦିଲ୍ଲୀ: ଚୀନ୍‌କୁ କୂଟନୈତିକ ଆଘାତ ଦେବା ପାଇଁ ଭାରତ ବୁଧବାର ଦିନ ଜାତିସଂଘରେ ହଙ୍ଗ୍‌କଙ୍ଗ୍‌ର ଚୀନ୍‌ର ନୂଆ ନିରାପତ୍ତା ଆଇନ ପ୍ରସଙ୍ଗ ଉଠାଇଛି। ଜେନିଭାରେ ଜାତିସଂଘର ମାନବିକ ଅଧିକାର ପରିଷଦ୍‌ରେ ଭାରତ ସରକାର କହିଛନ୍ତି ଯେ, ଚୀନ୍‌ର ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ହଙ୍ଗ୍‌କଙ୍ଗ୍‌ରେ ବହୁସଂଖ୍ୟକ ଭାରତୀୟ ସଂପ୍ରଦାୟ ବସବାସ କରୁଥିବାରୁ ଭାରତ ସେଠାକାର ଘଟଣା ଉପରେ ତୀବ୍ର ଦୃଷ୍ଟି ରିଖିଛି।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜୀବ ଚନ୍ଦର କହିଛନ୍ତି, ସେଠାକାର ଘଟଣା ବିଷୟରେ ଅମେ କେତେକ ଚିନ୍ତା ଉଦ୍ରେକକାରୀ ବିବୃତି ଶୁଣିଛୁ। ଆମେ ଆଶା କରୁଛୁ ସମ୍ପୃକ୍ତ ପକ୍ଷମାନେ ଏହି ମତାମତଗୁଡ଼ିକ ପ୍ରତି ଦୃଷ୍ଟି ଦେବେ ଏବଂ ସେଗୁଡ଼ିକର ଯଥାରୂପେ, ଗୁରୁତ୍ବର ସହ ଏବଂ ନିରପକ୍ଷଭାବେ ପ୍ରତିକାର କରିବେ।

Image Courtesy of Deccan News

ବିଶ୍ବବ୍ୟାପୀ ମାନବିକ ଅଧିକାର ପରିସ୍ଥିତି ସଂକ୍ରାନ୍ତରେ ଏକ ଆଲୋଚନା ସଭାରେ ଭାରତ ଏ ଭଳି ମନ୍ତବ୍ୟ ଦେଇଛି। ହଙ୍ଗ୍‌କଙ୍ଗ୍‌ ସମସ୍ୟା ଉପରେ ଭାରତର ଏହା ପ୍ରଥମ ମନ୍ତବ୍ୟ ଯାହା ଗଲ୍‌ୱାନ୍ ଉପତ୍ୟକା ସଂଘର୍ଷ ପରେ ପରେ ଉତ୍ଥାପନ କରାଯାଇଛି। ଭାରତ ହେଉଛି ଏକମାତ୍ର ‘କ୍ବାଡ୍’ ଦେଶ ଯିଏ ପର୍ଯ୍ୟନ୍ତ ହଙ୍ଗ୍‌କଙ୍ଗ୍‌ ପରିସ୍ଥିତି ଉପରେ କିଛି କହି ନ ଥିଲା। ଚୀନ୍‌ର ଆଇନକୁ ପୂର୍ବରୁ ଅଷ୍ଟ୍ରେଲିଆ, ଆମେରିକା, ଇଂଲଣ୍ଡ୍ ଏବଂ କାନଡା ନିନ୍ଦା କରିଛନ୍ତି। ଜାପାନ ମଧ୍ୟ ହଙ୍ଗ୍‌କଙ୍ଗ୍‌ ସପକ୍ଷରେ କହିଛି। କିନ୍ତୁ, ଭାରତ ଏ ପ୍ରସଙ୍ଗରେ ସର୍ବସାଧାରଣରେ କୌଣସି ବିବୃତି ଦେଇ ନ ଥିଲା।

ସମ୍ବନ୍ଧିତ ଖବର