ନୂଆଦିଲ୍ଲୀ/ଓ୍ଵାସିଂଟନ : ରୁଷ୍ଠାରୁ ଭାରତ ମହାଶକ୍ତିଶାଳୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍-୪୦୦ ପାଇବା ପାଇଁ ଚୁକ୍ତି ସଂପାଦିତ କରିଥିବାରୁ ଏହାକୁ ନେଇ ଆମେରିକା କ୍ଷୁବ୍ଧ ହୋଇଛି। ଭାରତର ଅନ୍ୟତମ ଘନିଷ୍ଠ ସାମରିକ ସହଯୋଗୀ ଆମେରିକା କହିଛି ଯେ ଏ ବାବଦରେ ଭାରତକୁ ଅତି ସତର୍କତାର ସହ ପଦକ୍ଷେପ ନେବାକୁ ହେବ ଏବଂ ରୁଷ୍ ଅପେକ୍ଷା ଆମେରିକାକୁ ହିଁ ଗୁରୁତ୍ୱ ଦେଇ ସାମରିକ କାରବାର କରିବାକୁ ପଡ଼ିବ। ରୁଷ୍ ବିରୋଧରେ ଆମେରିକା ଲଗାଇଥିବା କଠୋର ଆର୍ଥିକ କଟକଣାକୁ ଭୃକ୍ଷେପ ନକରି ଭାରତ ଏସ୍-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ହାସଲ କଲେ ଆମେରିକା-ଭାରତ ମଧ୍ୟରେ ପୂର୍ବରୁ ହୋଇଥିବା ସାମରିକ ଚୁକ୍ତିଗୁଡ଼ିକ ପ୍ରଭାବିତ ହେବ ବୋଲି ଆମେରିକା କହିଛି। ଭାରତ-ରୁଷ୍ ମଧ୍ୟରେ ବଡ଼ ଧରଣର ସାମରିକ ଚୁକ୍ତିକୁ ଦେଖି ଆମେରିକା ନିଜର ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ ଆରମ୍ଭ କରିଛି ଏବଂ ଭାରତ ଉପରେ ଲଗାତାର ଚାପ ସୃଷ୍ଟି କରୁଛି। ଉନ୍ନତ ପ୍ରତିରକ୍ଷା ଜ୍ଞାନକୌଶଳ ଏବଂ ସଶସ୍ତ୍ର ଡ୍ରୋନ୍ ବ୍ୟବସ୍ଥା ଭାରତକୁ ପ୍ରଦାନ କରିବାରେ ଆମେରିକା ଅଙ୍କୁଶ ଲଗାଇପାରେ ବୋଲି ଆମେରିକା କଂଗ୍ରେସର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୂଚନା ଦେଇଛନ୍ତି।
ଆମେରିକା ୬ ଏପ୍ରିଲରୁ ରୁଷ୍ର ୩୯ଟି ସଂସ୍ଥା ବିରୋଧରେ କଠୋର କଟକଣା ଲାଗୁ କରିଛି ଏବଂ ରୁଷ୍ ସହ ସାମରିକ ଚୁକ୍ତି ସଂପାଦନ କରିଥିବା ଦେଶଗୁଡ଼ିକ ପାଇଁ ମଧ୍ୟ ଏହି କଟକଣା ଲାଗୁ କରିବାକୁ ଘୋଷଣା କରିଛି।
ଏଭଳି ସ୍ଥିତିରେ ଭାରତ ଏବେ ରୁଷ୍ କିମ୍ବା ଆମେରିକା କାହାକୁ ଗୁରୁତ୍ୱ ଦେବ ସେ ନେଇ ଚର୍ଚ୍ଚା ଚାଲିଛି। ତେବେ ଭାରତ-ଚୀନ୍ ସୀମାରେ ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ପାଇଁ ଏସ୍-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଭାରତ ପାଇଁ ଅତି ଜରୁରୀ ଥିବାରୁ ଭାରତ ଆମେରିକାର କୌଣସି କଟକଣାକୁ ଭୃକ୍ଷେପ କରିବ ନାହିଁ ବୋଲି କୁହାଯାଉଛି। ଭାରତ ନିଜର ସାମରିକ ଆବଶ୍ୟକତା ମେଣ୍ଟାଇବା ପାଇଁ ବହୁଳ ଭାବେ ରୁଷ୍ ଉପରେ ପୂର୍ବରୁ ନିର୍ଭର କରି ଆସୁଥିବା ବେଳେ ବିଗତ ୭ ବର୍ଷ ଭିତରେ ଆମେରିକା ସହ ପ୍ରତିରକ୍ଷା କାରବାର ବୃଦ୍ଧି ପାଇଛି। ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଏସ୍-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଅନ୍ୟ ବିକଳ୍ପ ମଧ୍ୟ ଭାରତ ପାଖରେ ନାହିଁ। ତେଣୁ ରୁଷ୍ ସହ ସଂପନ୍ନ ହୋଇଥିବା ଚୁକ୍ତିରୁ ଭାରତ କଦାପି ଓହରିବ ନାହିଁ ବୋଲି ମଧ୍ୟ ସଙ୍କେତ ଦେଇସାରିଛି।