ରୁଷ୍‌ ତେଲ ପାଇଁ ପାଶ୍ଚାତ୍ୟ ଦେଶଙ୍କୁ ରଗାଇବନି ଭାରତ

ନୂଆଦିଲ୍ଲୀ : ରୁଷ୍‌ରୁ ରିହାତି ଦରରେ ବିପୁଳ ତେଲ କିଣୁଥିବା ଭାରତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ରୋଷର ଶିକାର ହେବାକୁ ଚାହୁନି। ସେମାନେ ରୁଷ୍‌ ଉପରେ ଯେଉଁ କଠୋର କଟକଣା ଲଗାଇଛନ୍ତି ତାହା ଉଲ୍ଲଂଘନ ନକରି କିଭଳି କାରବାର ଜାରି ରହିପାରିବ ସେଦିଗରେ ଭାରତ ସରକାର କାମ କରୁଛନ୍ତି। ନିୟମକୁ ଠିକ୍ ଭାବେ ପାଳନ କରି ‌କାରବାର କରିବାକୁ ବ୍ୟାଙ୍କ ଓ ବ୍ୟବସାୟୀମାନଙ୍କୁ ସରକାର କହିଛନ୍ତି। ରୁଷ୍‌ରୁ ଭାରତର ତେଲ କିଣାକୁ ନେଇ ନିକଟରେ ଅନୁଷ୍ଠିତ ଜି-୨୦ ବୈଠକରେ ଆଲୋଚନା ହୋଇଥିଲା। ଭାରତ ଯେଉଁଭଳି ଭା‌ବେ ଏହି ମାମଲାକୁ ପରିଚାଳନା କରୁଛି ‌ସେଥିରେ ଆମେରିକା ଓ ଅନ୍ୟାନ୍ୟ ଜି-୭ ରାଷ୍ଟ୍ରଗୁଡ଼ିକ ସନ୍ତୋଷ ପ୍ରକଟ କରିଥିଲେ।

କିଛି ବର୍ଷ ପୂର୍ବେ ରୁଷ୍‌ ତେଲକୁ ଆଦୌ କିଣୁନଥିବା ଭାରତ ଏବେ ସର୍ବାଧିକ ତେଲ ସେଠାରୁ ମଗାଉଛି। ପାରମ୍ପରିକ ଯୋଗାଣକାରୀ ଇରାକ, ସାଉଦି ଆରବଠାରୁ ଏ‌ହା ତେଲ କିଣା କମ୍ କରିଛି। ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଓ ଚୀନ୍‌ ରୁଷ୍‌ରୁ ବିପୁଳ ପରିମାଣର ତେଲ କିଣୁଛନ୍ତି। ରୁଷ୍‌ ତୈଳର ବ୍ୟାରେଲ ପିଛା ଦାମ୍‌ ଉପରେ ୬୦ ଡଲାରର ସୀମା ନିର୍ଧାରଣ କରାଯାଇଛି। ଭାରତ ତା’ଠାରୁ କମ୍ ଦାମ୍‌ରେ ତେଲ କିଣୁଥିବାରୁ ଆମେରିକା ସମେତ ବିଭିନ୍ନ ଦେଶ ଆପତ୍ତି ଉଠାଉନାହାନ୍ତି। ‌ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ମତ ହେଉଛି ୬୦ ଡଲାରରୁ ଅଧିକ ମୂଲ୍ୟ ଦେଇ‌ ତେଲ କିଣିଲେ ରୁଷ୍‌କୁ ଅଧିକ ରାଜସ୍ବ ମିଳିବ ଯାହାକୁ ‌ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଯୁଦ୍ଧରେ ବ୍ୟବହାର କରିବାର ସୁଯୋଗ ପାଇବେ। ରୁଷ୍‌ର ଆୟ ଉତ୍ସକୁ ସଙ୍କୁଚିତ କରି ତାହାକୁ ଯୁଦ୍ଧରୁ ବିରତ ରହିବା ଲାଗି ବାଧ୍ୟ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ର ବହୁ କଠୋର କଟକଣା ଲଗାଇଛନ୍ତି।

ସମ୍ବନ୍ଧିତ ଖବର