ଚୀନ୍‌କୁ ଚେତାବନୀ: ନ ସୁଧୁରିଲେ କଡ଼ା ଜବାବ

ଭାରତର ସାର୍ବଭୌମତ୍ୱ ରକ୍ଷା ପାଇଁ ସେନା କିଛି ବି କରିପାରେ

ନୂଆଦିଲ୍ଲୀ: ବିବାଦୀୟ ଡୋକ୍‌ଲାମ୍‌ ଅଞ୍ଚଳରେ ଭାରତର ତୀକ୍ଷ୍ଣ ନଜର ରହିଛି। ଚୀନ୍‌ କୌଣସି ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କଲେ ଭାରତ ଏହାର କଡ଼ା ଜବାବ ଦେବ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚେତାବନୀ ଦେଇଛନ୍ତି। ଡୋକ୍‌ଲାମ୍‌ ନିକଟରେ ଚୀନ ରେଳ ଲାଇନ୍‌ ବିଛାଉଥିବା ଏବଂ ହେଲିପ୍ୟାଡ୍‌ ନିର୍ମାଣ କରୁଥିବା ଖବର ସାମ୍ନାକୁ ଆସିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଏଭଳି ଆଭିମୁଖ୍ୟ ପୋଷଣ କରିଛି।

ଆଜି ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଏକ ସଭାରେ ଯୋଗ ଦେଇ ସୀତାରମଣ କହିଛନ୍ତି ଯେ, ଡୋକ୍‌ଲାମ ଭଳି କୌଣସି ବି ଆକସ୍ମିକ ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି। ସାମ୍ପ୍ରତିକ ସ୍ଥିତିରେ ଚୀନ୍‌ ଏହାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଉଚିତ। ଅନ୍ୟଥା ଭାରତ ମଧ୍ୟ କଠୋର ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନାହିଁ। କୌଣସି ବି ପରିସ୍ଥିତିରେ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବାକୁ ସେନା ପ୍ରସ୍ତୁତ ରହିଛି। ନିକଟରେ ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ସେନାର କ୍ଷମତା ବୃଦ୍ଧି ପାଇଁ ହାଲୁକା ମେସିନ୍‌ ଗନ୍‌, ରାଇଫଲ୍ସ, କାରବାଇନ୍‌ ଆଦି କିଣିବା ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି। ଅପରପକ୍ଷେ, ଭାରତ-ଚୀନ୍‌ ସୀମାର ସ୍ଥିତାବସ୍ଥାରେ କୌଣସି ବି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କଲେ ପୁନଶ୍ଚ ଡୋକ୍‌ଲାମ୍‌ ଭଳି ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଚୀନ୍‌ ଏହାର ଚିରାଚରିତ ଢଙ୍ଗରେ ଅନ୍ୟ ଦେଶର ସ୍ଥାନକୁ କବ୍‌ଜା କରିବା ନୀତି ଜାରି ରଖିଥିବାରୁ ଭାରତୀୟ ରାଷ୍ଟ୍ରଦୂତ ଗୌତମ ବମ୍ବାଓ୍ଵଲେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅତି ସମ୍ବେଦନଶୀଳ ସିକିମ୍‌-ତିବ୍ଦତ-ଭୁଟାନ୍‌ର ତ୍ରିକୋଣଭୂମି ଡୋକ୍‌ଲାମ୍‌ରେ ଚୀନ୍‌ର ରାସ୍ତା ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ନେଇ ଉପଗ୍ରହ ଚିତ୍ରରୁ ଜଣାପଡ଼ିଥିଲା। ଯଦିଓ ପ୍ରାଥମିକ ଅବସ୍ଥାରେ ଡୋକ୍‌ଲାମ୍‌ ସ୍ଥିତିରେ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ହୋଇନଥିଲା, ତେବେ ରାଷ୍ଟ୍ରଦୂତଙ୍କ ବୟାନ୍‌ ପରେ ପ୍ରତିରକ୍ଷା ମନ୍ତ୍ରୀ ଏପରି ସତର୍କବାଣୀ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ହଂକଂରୁ ପ୍ରକାଶିତ ଖବରକାଗଜ ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୀମାରେ ଚୀନ୍‌ ଅଧିକ ସେନା ମୁତୟନ କରିବା ପାଇଁ ବିବାଦୀୟ ଅଞ୍ଚଳରେ ବଙ୍କର ଓ ସେନା ଶିବିର ନିର୍ମର୍ାଣ କରୁଛି। ଯଦିଓ ବର୍ତ୍ତମାନ ସୁଦ୍ଧା ଚୀନ୍‌ର ଏହି ନିର୍ମାଣ କାର୍ଯ୍ୟ ଭାରତ ପାଇଁ କୌଣସି ଅସୁବିଧା ସୃଷ୍ଟି କରିନାହିଁ, ତେବେ ସୀମାର ଅତି ନିକଟରେ ଶତ୍ରୁର ଉପସ୍ଥିତି ଆଦୌ ଶୁଭଙ୍କର ନୁହେଁ ବୋଲି ରାଷ୍ଟ୍ରଦୂତ ବମ୍ବାଓ୍ଵଲେ କହିଛନ୍ତି। ଉଭୟ ଦେଶ ନିଜ ନିଜ ସୀମାରେ ନିର୍ମାଣ କାର୍ଯ୍ୟ କରିବା ପାଇଁ ସ୍ୱାଧୀନତା ରହିଛି। ତେବେ ଭାରତର ଉତ୍ତର-ପୂର୍ବ ସୀମା ସନ୍ନିକଟ ତଥା ଭୁଟାନ୍‌ର ‘ଚିକେନ୍‌ ନେକ୍‌’ ଅଞ୍ଚଳରେ ଚୀନ୍‌ ସଡ଼କ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ନିର୍ମାଣ ପୂର୍ବରୁ ପଡ଼ୋଶୀ ଦେଶର ସହମତି ଲୋଡ଼ିବା ଜରୁରୀ ଥିବା ବେଳେ ଚୀନ୍‌ ଏ ସମ୍ପର୍କରେ ଭାରତକୁ ଜଣାଇନାହିଁ। ବିଗତ ୩୦ ବର୍ଷରେ ଭାରତ-ଚୀନ୍‌ ସୀମାରେ ଗୋଟିଏ ବି ଗୁଳି ଫୁଟିନାହିଁ। ସୁତରାଂ ଉଭୟ ପଡ଼ୋଶୀ ସୀମାରେ ଶାନ୍ତି ବଜାୟ ରଖିବା ସପକ୍ଷରେ। ତେବେ ଚୀନ୍‌ ଏହାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ଏଭଳି ପ୍ରୟାସ ଚଳାଇବା ଭାରତ ପାଇଁ ଆଦୌ ହିତକର ନୁହେଁ ବୋଲି ବିଶେଷଜ୍ଞମାନଙ୍କ ମତ। ଆସନ୍ତା ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ଗସ୍ତ ବେଳେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହ ଏ ସମ୍ପର୍କରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ରାଷ୍ଟ୍ରଦୂତ ବମ୍ବାଓ୍ଵଲେ କହିଛନ୍ତି।

ସମ୍ବନ୍ଧିତ ଖବର