ନୂଆଦିଲ୍ଲୀ,: ଡୋକଲାମକୁ ନେଇ ଆଜି ପୁଣି ଭାରତକୁ ଧମକାଇଛି ଚୀନ୍। ବିବାଦୀୟ ଡୋକଲାମ କ୍ଷେତ୍ରକୁ ନିଜର ବୋଲି ଦାବି କରି ଚୀନ୍ ସେନା କହିଛିି ଯେ ଭାରତ ୭୩ ଦିନ ଧରି ଚାଲିଥିବା ଡୋକଲାମ ସଙ୍କଟରୁ କିଛି ଶିକ୍ଷା ଲାଭ କରିବା ଉଚିତ। ଭାରତ ଏ ଦିଗରେ ଶିକ୍ଷା ଲାଭ କରି ଆଗକୁ ବଢ଼ିଲେ ହିଁ ଡୋକଲାମ ଭଳି ସଙ୍କଟର ପୁନରାବୃତ୍ତି ହେବନାହିଁ ବୋଲି ଚୀନ୍ ପିପୁଲସ ଲିବରେସନ ଆର୍ମି ପ୍ରବକ୍ତା କହିଛନ୍ତି । ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତଙ୍କ ଏକ ବୟାନର ପ୍ରତିକ୍ରିୟାରେ ଚୀନ୍ ଏହି ଜବାବ ରଖିଛି । ନିକଟରେ ରାଓ୍ଵତ ସମଗ୍ର ଡୋକଲାମ ଅଂଚଳକୁ ଏକ ବିବାଦୀୟ କ୍ଷେତ୍ର ବୋଲି କହିଥିଲେ ଏବଂ ଭବିଷ୍ୟତରେ ଏଭଳି ବିବାଦ ଏଡ଼ାଇବାକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଚେତାଇ ଦେଇଥିଲେ। ଏ ବାବଦରେ ଚୀନ୍ ଆଜି କହିଛି ଯେ ଡୋକଲାମକୁ ନେଇ ଭୁଟାନ ସହିତ କୌଣସି ବିବାଦ ନଥିବା ବେଳେ ଭାରତ ଏଥିରେ ହସ୍ତକ୍ଷେପ କରି ଏଭଳି ବୟାନ ଦେବା ଆଦୌ ଉଚିତ ନୁହେଁ।
ଡୋକଲାମ କ୍ଷେତ୍ରରେ ଚୀନ୍ର ବିସ୍ତାରବାଦ ନୀତିକୁ ଭାରତ ପ୍ରବଳ ବିରୋଧ କରି ଚୀନ୍ ସେନାକୁ ପଛକୁ ହଟିବାକୁ ବାଧ୍ୟ କରିବା ପରେ ଅନ୍ତର୍ଜାତୀୟ ସମୁଦାୟ ନିକଟରେ ମଧ୍ୟ ଚୀନ୍ ପଦାରେ ପଡ଼ିଯାଇଛି। ଏବେ ପୁଣି ବିବାଦ ବଢ଼ାଇବାକୁ ଡୋକଲାମ ବିବାଦକୁ ତାଜା କରିବାକୁ ଚୀନ୍ ପ୍ରୟାସ କରୁଛି। ସୂଚନାଯୋଗ୍ୟ ଗତ ୧୨ ତାରିଖ ଦିନ ସେନା ଦିବସ ଅବସରରେ ସେନାମୁଖ୍ୟ ବିପିନ ରାଓ୍ଵତ କହିଥିଲେ ଚୀନ୍ର ପିପୁଲ୍୍ସ ଲିବରେସନ ଆର୍ମି ଉତ୍ତର ଡୋକଲାମ ଅଂଚଳକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ତେବେ ବିବାଦୀୟ ଅଂଚଳରୁ ଉଭୟ ପକ୍ଷ ପଛକୁ ହଟିଥିବାରୁ ଏହି ସ୍ଥିତିକୁ କାଏମ ରଖିବା ଜରୁରୀ ବୋଲି ରାଓ୍ଵତ କହିଥିଲେ । ଗତ ବର୍ଷ ଜୁନ୍ ୧୬ ତାରିଖରେ ଡୋକଲାମରେ ସଡ଼କ ନିର୍ମାଣ କରୁଥିବା ଚୀନ୍ ସେନାକୁ ଭାରତ ଜୋରଦାର ବିରୋଧ କରିଥିଲା ଏବଂ ୭୩ ଦିନ ଧରି ଏହାକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ୨୮ ଅଗଷ୍ଟରେ ଏହି ବିବାଦର ସମାଧାନ ହେବାପରେ ଉଭୟ ଦେଶର ସେନା ପଛକୁ ଫେରିଥିଲେ। ଚୀନ୍ ଭାରତ ଉପରେ ଚାପ ସୃଷ୍ଟି କରି ଡୋକଲାମରେ ରାସ୍ତା ନିର୍ମାଣ ଉଦ୍ୟମ କରୁଥିବା ବେଳେ ଏହା ଉପରେ ସତର୍କ ନଜର ରଖାଯାଇଛି।
ଭାରତକୁ ଚୀନ୍ର ଚେତାବନୀ ନ ଚେତିଲେ ଆଉ ଏକ ଡୋକ୍ଲାମ
/sambad/media/post_attachments/wp-content/uploads/2017/12/india-china-l1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)