କଶ୍ମୀର ମାମଲାରେ ବୟାନ ନଦେବାକୁ ମାଲେସିଆ-ତୁର୍କୀକୁ ଚେତାଇଲା ଭାରତ

ଇମ୍ରାନ୍‌ଙ୍କ ଜିହାଦ ବୟାନକୁ ଜୋର୍‌ଦାର ବିରୋଧ, ଅନ୍ତର୍ଜାତୀୟ ସଂପର୍କ ରକ୍ଷା ଜାଣନ୍ତି ନାହିଁ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଶ୍ମୀରରେ ଜିହାଦ୍‌ ପାଇଁ ଆହ୍ବାନ ଦେଇଥିବାରୁ ଭାରତ ଏହାର କଡ଼ା ସମାଲୋଚନା କରିଛି। ଇମ୍ରାନ ଅତ୍ୟନ୍ତ ବେପରୁଆ ଏବଂ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେବା ଲଜ୍ଜାଜନକ ବୋଲି ଭାରତ କହିବା ସହ ଅନ୍ତର୍ଜାତୀୟ ସଂପର୍କ ରକ୍ଷା କରିବା ଇମ୍ରାନ ଜାଣନ୍ତି ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି। କଶ୍ମୀରରେ ଜିହାଦ ଆହ୍ବାନ ଦେବା ଏବଂ ପିଓକେ ବାସିନ୍ଦାଙ୍କୁ ହିଂସା ସୃଷ୍ଟି ପାଇଁ ସିଧାସଳଖ ଉସୁକାଇ ଇମ୍ରାନ ନିଜ ଅପରିପକ୍ବତାର ପରିଚୟ ଦେଇଛନ୍ତି ବୋଲି ରବିଶ କହିଛନ୍ତି। ଭାରତ ବିରୋଧରେ ଏଭଳି ବୟାନ ପାକିସ୍ତାନର ହତାଶାକୁ ପ୍ରତିପାଦିତ କରୁଛି ବୋଲି ମତ ରଖି ସେ କହିଛନ୍ତି ଯେ କଶ୍ମୀର ମାମଲାରେ ପାକିସ୍ତାନର ସବୁ ଚାଲ୍‌ ପଣ୍ଡ ହୋଇଯାଇଛି। ପାକିସ୍ତାନକୁ ଏହି ପ୍ରସଙ୍ଗରେ ସମର୍ଥନ କରୁଥିବା ମାଲେସିଆ ଏବଂ ତୁର୍କୀକୁ ମଧ୍ୟ ଆଜି ଭାରତ କଡ଼ା ଜବାବ ଦେଇଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଯଥା ବୟାନ ନଦେବା ପାଇଁ ଉଭୟ ରାଷ୍ଟ୍ରକୁ ଭାରତ ଚେତାଇ ଦେଇଛି । ଜାତିସଂଘରେ ମାଲେସିଆ ଏବଂ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିବାରୁ ଭାରତ କହିଛି ଯେ ଆତଙ୍କବାଦୀଙ୍କୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ମୁଖା ଖୋଲି ଯାଇଛି ଏବଂ ତୁର୍କୀ ଏ ବାବଦରେ ଅବଗତ ରହିବା ଉଚିତ। କଶ୍ମୀର ପ୍ରସଙ୍ଗରେ ତୁର୍କୀ ସହିତ ବିସ୍ତୃତ ଚର୍ଚ୍ଚା କରାଯିବ ଏବଂ ମାଲେସିଆ ସରକାର ଭାରତ ସହିତ ପାରମ୍ପରିକ ସଂପର୍କକୁ ମନେ ପକାଇ ପଦକ୍ଷେପ ନେବା ଉଚିତ ବୋଲି ଭାରତ କହିଛି। ଭାରତ ସହ ସଂପର୍କ ଖରାପ ହେଲା ଭଳି କୌଣସି ମନ୍ତବ୍ୟ ଦେବାରୁ ମାଲେସିଆ ଦୂରେଇ ରହିବା ଉଚିତ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ଆତଙ୍କବାଦୀ ହାଫିଜ୍‌ ସୟିଦ ପ୍ରତି ପାକିସ୍ତାନର ଦରଦ ଦେଖି ଏହି ରାଷ୍ଟ୍ରର ଅସଲ ସ୍ଥିତି ସଂପର୍କରେ ସମଗ୍ର ବିଶ୍ବ ଜାଣିପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର