ପାକିସ୍ତାନକୁ ତାଗିଦ କଲା ଭାରତ, ଯୁଦ୍ଧ ଉତ୍ତେଜନାରୁ ଦୂରେଇ ରୁହ

ସବୁ ଚାଲ୍‌କୁ ବିଶ୍ବ ସମୁଦାୟ ଜାଣିଛି, କଶ୍ମୀରରେ ହିଂସା ଉଦ୍ୟମକୁ ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ପ୍ରତିଦିନ ଯୁଦ୍ଧ ଧମକ ଏବଂ କଶ୍ମୀରରେ ହିଂସା ସୃଷ୍ଟି ପାଇଁ ଷଡ଼ଯନ୍ତ୍ର ହେଉଥିବାରୁ ଆଜି ଭାରତ ଏହାର କଡ଼ା ନିନ୍ଦା କରିଛି। କଶ୍ମୀରକୁ ନେଇ କୌଣସି ଉତ୍ତେଜନା ସୃଷ୍ଟିକାରୀ ବୟାନ ନଦେବା ପାଇଁ ଭାରତ ପାକିସ୍ତାନକୁ ତାଗିଦ୍‌ କରିଛି। ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ଆଦୌ ମୁଣ୍ଡ ପୂରାଇବା ଉଚିତ ନୁହେଁ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପାକିସ୍ତାନର ଉଦ୍ଦେଶ୍ୟ କେବଳ କଶ୍ମୀରରେ ଶାନ୍ତି ନଷ୍ଟ କରିବା ଏବଂ ଜିହାଦ୍‌ ମାଧ୍ୟମରେ ସେଠାରେ ଅସ୍ଥିରତା ସୃଷ୍ଟି କରିବା। ପାକିସ୍ତାନ ହିଂସା ଏବଂ ଜିହାଦ୍‌ର ଆଶ୍ରୟ ନେଇ ଭାରତର ଯେଉଁ କ୍ଷତି କରବାକୁ ପ୍ରୟାସ କରୁଛି ତାହାକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଭାରତ ଚେତାଇ ଦେଇଛି। ଆମ ସୁରକ୍ଷା ବାହିନୀ ପାକ୍‌ର ଯେ କୌଣସି ହୀନ ଉଦ୍ୟମକୁ ପଣ୍ଡ କରିବାକୁ ସଂପୂର୍ଣ୍ଣ ସକ୍ଷମ ବୋଲି ରବୀଶ କୁମାର କହିଛନ୍ତି।

ପାକିସ୍ତାନ ଆତଙ୍କବାଦକୁ ଏବେ ରାଷ୍ଟ୍ରନୀତିରେ ପରିଣତ କରି ସେହି ଆଧାରରେ ପରିଚାଳିତ ହେଉଛି ଏବଂ ଏହାର ପ୍ରତ୍ୟେକଟି ଚାଲ୍‌କୁ ବିଶ୍ବ ସମୁଦାୟ ଜାଣିଛି ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ଧାରା ୩୭୦ ମାମଲାରେ ବିଭ୍ରାନ୍ତି ସୃଷ୍ଟି ପାଇଁ ପାକିସ୍ତାନର ସବୁ ପ୍ରୟାସ ବିଫଳ ହେବାପରେ ଏବେ ଯୁଦ୍ଧ ଧମକ ଦେଇ ଅସ୍ଥିରତା ସୃଷ୍ଟି କରିବାକୁ ଏହି ରାଷ୍ଟ୍ର ଚାହୁଛି ବୋଲି ରବୀଶ କୁମାର କହିଛନ୍ତି। ପାକିସ୍ତାନ ନିଜ ଦେଶରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ କାୟାବିସ୍ତାର ପାଇଁ ସମସ୍ତ ସୁଯୋଗ ଦେଇଛି। ପାକିସ୍ତାନ ଭାରତ ପାଇଁ ତା’ର ବାୟୁସୀମା ବନ୍ଦ କରିଥିବା ସଂପର୍କରେ ଅଧିକାରୀସ୍ତରରେ କୌଣସି ସୂଚନା ଦେଇନାହିଁ ସେ କହିଛନ୍ତି।

ସମ୍ବନ୍ଧିତ ଖବର