ନୂଆଦିଲ୍ଲୀ: ପାକିସ୍ତାନରେ ଜୈସ ଆତଙ୍କବାଦୀ ସଂଗଠନର ଶିବିର ଉପରେ ଆକ୍ରମଣ ପରେ ଭାରତ ଏବେ ସେହି ଦେଶ ଉପରେ କୂଟନୈତିକ ଚାପ ପକାଇବା ଆରମ୍ଭ କରିଛି। ପୁଲୱାମା ଆକ୍ରମଣରେ ଜୈସ କିପରି ସାମିଲ ଥିଲା ତାହାର ପ୍ରମାଣ ଭାରତ ଜାତିସଂଘ ନିରାପତ୍ତା ପରିଷଦର ସଭ୍ୟମାନଙ୍କୁ ଦେଇଛି। ଏହାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ସହିତ ଏହାର ମୁଖ୍ୟ ମସୁଦ ଆଝାର ଉପରେ କଟକଣା ଜାରି କରିବା ଲାଗି ଭାରତ କୂଟନୈତିକ ଅଭିଯାନକୁ ଜୋରଦାର କରିଛି। େତବେ ଏହା ସହିତ ଭାରତ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ଆମ ଦେଶରେ କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ ସବୁ ବିକଳ୍ପ ଖୋଲା ରହିଛି। ଆତଙ୍କବାଦୀ ଓ ସେମାନଙ୍କୁ ଆଶ୍ରୟ ଦେଉଥିବା ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ପଛାଇବ ନାହିଁ।
ଆଜି ବୈଦେଶିକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପୁଲୱାମା ଆକ୍ରମଣ ପରେ ଭାରତ ପାକ୍ ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ପାକିସ୍ତାନ ଭାରତ ବିରୋଧରେ ଶକ୍ତିଶାଳୀ ଲଢ଼ୁଆ ବିମାନ ଏଫ୍-୧୬ ବ୍ୟବହାର କରିଥିଲା। ଏଥିରେ ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରିବାକୁ ଉଦ୍ୟମ କରାଯାଇଥିଲା। ଭାରତ ଆଜି ଏ ସଂକ୍ରାନ୍ତ ସମସ୍ତ ପ୍ରମାଣ ଆମେରିକାକୁ ହସ୍ତାନ୍ତର କରିଛି। ଭାରତ ବିରୋଧରେ ଏଫ୍-୧୬ ବ୍ୟବହାର ହୋଇଥିବା ନେଇ ବଳିଷ୍ଠ ପ୍ରମାଣ ଦାଖଲ ସହିତ ଏହି ଲଢ଼ୁଆ ବିମାନକୁ ଭାରତ କିଭଳି ନଷ୍ଟ କରିବାରେ ସକ୍ଷମ ହୋଇଛି ସେ ସଂପର୍କିତ ପ୍ରମାଣ ମଧ୍ୟ ଦିଆଯାଇଛି। ପାକିସ୍ତାନର ଏଭଳି କାର୍ଯ୍ୟକୁ ଭାରତ କଦାପି ବରଦାସ୍ତ କରିବ ନାହିଁ ଏବଂ ଏହାର ଯଥୋଚିତ ଜବାବ ଦେବାକୁ ସମସ୍ତ ବିକଳ୍ପ ଖୋଲା ଅଛି ବୋଲି ଆମେରିକାକୁ ଜଣାଇ ଦିଆଯାଇଛି। ଆତଙ୍କବାଦ ବିରୋଧୀ ଲଢ଼େଇରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଇ ପାକିସ୍ତାନ ଏଫ୍-୧୬ ବିମାନ ଆମେରିକାଠାରୁ ହାସଲ କରିଥିଲା ଏବଂ ଏହାକୁ ଏବେ ଭାରତ ବିରୋଧରେ ବ୍ୟବହାର କରିଥିବାରୁ ଆମେରିକା ପାକିସ୍ତାନ ବିରୋଧରେ କଠୋର କଟକଣା ଲଗାଇବାକୁ ଭାରତ ଦାବି କରିଛି।ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ଉପରେ ଏବେ ପ୍ରବଳ ଅନ୍ତର୍ଜାତୀୟ ଚାପ ସୃଷ୍ଟି ହୋଇଛି। ଏହା ସତ୍ତ୍ବେ ପାକିସ୍ତାନ ପ୍ରତିଦିନ ନୂଆ ଚାଲ୍ ଖେଳି ବିଭ୍ରାନ୍ତି ସୃଷ୍ଟି ପାଇଁ ଉଦ୍ୟମ ଚଳାଇଛି। ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ଜୈସ୍ ଆତଙ୍କବାଦୀ ସଂଗଠନର ମୁଖିଆ ମସୁଦ୍ ଆଝାରକୁ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନ ମସୁଦ୍କୁ ସୁରକ୍ଷା ଦେଇଚାଲିଥିବାରୁ ଏଭଳି ରାଷ୍ଟ୍ର ପ୍ରତି ବିଶ୍ବ ସମୁଦାୟ ସତର୍କ ରହିବା ଆବଶ୍ୟକ ବୋଲି ଭାରତ ଚେତାଇ ଦେଇଛି। ଫେବ୍ରୁଆରି ୨୬ରେ ଭାରତ ଜୈସ୍ ଆଡ଼ାକୁ ଧ୍ବଂସ କରିବା ପାଇଁ ବିମାନ ଆକ୍ରମଣ କରିଥିଲା ଏବଂ ପାକିସ୍ତାନ ଫେବ୍ରୁଆରି ୨୭ ତାରିଖରେ ଭାରତୀୟ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିବା ପାଇଁ ଏଫ୍-୧୬ ବ୍ୟବହାର କରିଥିଲା। ଏଥିରୁ ପାକିସ୍ତାନର ଅସଲ ରୂପ ଧରାପଡ଼ିଯାଇଥିବାରୁ ପାକିସ୍ତାନ ବିରୋଧରେ ଆମେରିକା ତତ୍କାଳ କଠୋର ପଦକ୍ଷେପ ନେବାକୁ ଭାରତ ପ୍ରସ୍ତାବ ଦେଇଛି।
ଏବେ ଭାରତ ବିରୋଧରେ ପାକିସ୍ତାନ ଅପପ୍ରଚାର ଚଳାଇଛି। ଆଜି ପାକିସ୍ତାନ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ପାକିସ୍ତାନୀ ଜଳସୀମାରେ ଭାରତୀୟ ବୁଡ଼ା ଜାହାଜ ପଶିଥିଲା ଏବଂ ଏହାକୁ ଘଉଡ଼ାଇ ଦିଆଯାଇଛି। କେବଳ ଏତିକି ନୁହେଁ, ଭାରତର ସୁଖୋଇ ଯୁଦ୍ଧ ବିମାନକୁ ମଧ୍ୟ ଖସାଇ ଦେଇଥିବା ପାକିସ୍ତାନ କହିଥିଲା। କିନ୍ତୁ ଏସବୁ ଖବର ମିଛ ବୋଲି ଭାରତର ବୈଦେଶିକ ବିଭାଗ କହିଛି। ଅସଲ ପ୍ରସଙ୍ଗରୁ ବିଶ୍ବର ଦୃଷ୍ଟି ହଟାଇବାକୁ ପାକିସ୍ତାନର ଏହା ଏକ ଚାଲ ବୋଲି କୁହାଯାଇଛି।