ପାକିସ୍ତାନକୁ ଭାରତୀୟ ସେନାର ଚେତାବନୀ, ଦୃଢ ଜବାବ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ଆଗକୁ ଶୀତଋତୁ ଆସୁଛି । କାଶ୍ମୀର ଘାଟିରେ ବରଫ ପଡିବା ପରେ ଆଉ ଅନୁପ୍ରବେଶ କରିବା ସମ୍ଭବ ହେବ ନାହିଁ । ଏଥିପାଇଁ ପାକିସ୍ତାନ ଅଧିକରୁ ଅଧିକ ସଂଖ୍ୟାରେ ଆତଙ୍କବାଦୀଙ୍କୁ ଭାରତୀୟ ସୀମା ଭିତରକୁ ପଠାଇବାକୁ ଉଦ୍ୟମ କରୁଛି । ସେଥିପାଇଁ ସୀମା ସେପଟେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡରେ ଅନେକ ଆତଙ୍କବାଦୀ ଠୁଳ ହୋଇଛନ୍ତି । ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନା ସତର୍କ ହୋଇଯାଇଛି । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀମାନଙ୍କୁ ପ୍ରଶୟ ଦେଇ ଭାରତକୁ ପଠାଉଥିବାରୁ ତାହାକୁ ଦୃଢ ହସ୍ତରେ ଦମନ କରାଯିବ ବୋଲି ଭାରତୀୟ ସେନା ସତର୍କ କରାଇଦେଇଛି । ପୂର୍ବରୁ ଗତ ସେପ୍ଟେମ୍ବର ୨୦୧୬ରେ ଭାରତୀୟ ସେନା ନିୟନ୍ତ୍ରଣରେଖା ସେପଟକୁ ପଶି ସର୍ଜିକାଲ ଷ୍ଟ୍ରାଇକ କରି କେତେକ ଲଞ୍ଚ ପ୍ୟାଡକୁ ଧ୍ୱଂସ କରିଦେଇଥିଲେ । କିନ୍ତୁ ଏବେ ପୁଣି ଥରେ ପାକିସ୍ତାନ ଉତ୍ପାତ ଆରମ୍ଭ କରିଛି । ଗତକାଲି ଜାମ୍ମୁର ସୁନ୍ଦରବନି ସେକ୍ଟର ସ୍ଥିତ ନିୟନ୍ତ୍ରଣରେଖା ନିକଟରେ ପାକ ଅନୁପ୍ରବେକାରୀଙ୍କ ଗୁଳିମାଡରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ୫ ଜଣ ସ୍ଥାନୀୟ ନାଗରିକ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର