ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ କ୍ରମାଗତ ଆକ୍ରମଣ ଓ ନିର୍ଯାତନା ନେଇ ଭାରତ ବାଂଲାଦେଶର ଅନ୍ତରୀଣ ସରକାରକୁ ଚେତାଇ ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ପଡ଼ୋଶୀ ଦେଶରେ ସ୍ଥିତି ଅତ୍ୟନ୍ତ ଖରାପ ରହିଥିବା ବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାରରେ ହିନ୍ଦୁଙ୍କ ସମେତ ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଚାଲିଛି। ଏହାକୁ ନେଇ ଆଜି ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବାଂଲାଦେଶକୁ ସତର୍କ କରାଯିବା ସହ ହିନ୍ଦୁମାନଙ୍କ ସୁରକ୍ଷା କରିବା ସେଠାକାର ସରକାରଙ୍କ ଦାୟିତ୍ୱ ବୋଲି କୁହାଯାଇଛି। ଭାରତ ଏକ ସ୍ଥିର ଓ ସମାବେଶୀ ବାଂଲାଦେଶକୁ ସମର୍ଥନ କରୁଛି ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି।
ବାଂଲାଦେଶରେ ଇସ୍ଲାମିକ ଚରମପନ୍ଥୀମାନେ ଲଗାତାର ହିନ୍ଦୁମାନଙ୍କ ସମ୍ପତ୍ତି ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି। ହିଂସାରେ ଅନେକ ହିନ୍ଦୁଙ୍କ ଜୀବନ ଯାଇଛି। ଏଭଳି ସ୍ଥିତିରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଉଗ୍ର ମୌଳବାଦୀଙ୍କ ଯୋଗୁଁ ବାଂଲାଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ ମୋଡ଼ ନେଇଥିବାରୁ ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ବାଂଲାଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରାଗଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭାରତ ଗୁରୁତ୍ବାରୋପ କରିଛି।
ସୂଚନାଯୋଗ୍ୟ, ବାଂଲାଦେଶରେ ଭୟାନକ ହିଂସା ଓ ବିକ୍ଷୋଭ ପରେ ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ଦେଶ ଛାଡ଼ି ପଳାଇଥିଲେ। ଏହାପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। ତେବେ ଦେଶର ସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ବିଗିଡ଼ି ଯାଇଛି ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି। ଭାରତ ସରକାର ସମଗ୍ର ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପରିସ୍ଥିତିରେ ସୁଧାର ଆଣିବା ପାଇଁ ବାଂଲାଦେଶ ସରକାରକୁ ଅନେକ ଥର ନିବେଦନ କରିଛନ୍ତି ଇତିମଧ୍ୟରେ ବାଂଲାଦେଶ ଶେଖ ହସିନାଙ୍କୁ ଫେରାଇ ଆଣିବାକୁ ଭାରତକୁ ବାରମ୍ବାର କହିଥିଲେ ମଧ୍ୟ ସାଂପ୍ରତିକ ସ୍ଥିତିକୁ ଦେଖି ଭାରତ ଏହାକୁ ଗୁରୁତ୍ବ ଦେଇନାହିଁ। ମହମ୍ମଦ ୟୁନୁସ୍ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ଢାକା ଭାରତକୁ ଆନୁଷ୍ଠାନିକ ଚିଠି ପଠାଇଥିଲା କିନ୍ତୁ ନୂଆଦିଲ୍ଲୀରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ହସିନାଙ୍କ ବିରୋଧରେ ମାନବିକତା ବିରୋଧୀ ଅପରାଧ ପାଇଁ ମାମଲା ରୁଜୁ କରାଯିବ ବୋଲି ୟୁନୁସ୍ କହିଛନ୍ତି।