ନୂଆଦିଲ୍ଲୀ : ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ମିଳିତ ହୋଇ କାମ କରିବାକୁ ପଡ଼ିବ। ଏଥିସହିତ ଲୋକଙ୍କ ସ୍ବପ୍ନ ପୂରଣ କରିବା ପାଇଁ ରାଜ୍ୟଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ବିଜ୍ଞ ନିଷ୍ପତ୍ତି ନେବାର ମଧ୍ୟ ଆବଶ୍ୟକତା ରହିଛି। ରାଜ୍ୟଗୁଡ଼ିକ ଏଭଳି ନିଷ୍ପତ୍ତି ନିଅନ୍ତୁ ଯାହାଦ୍ବାରା ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ଏବଂ ନାଗରିକମାନଙ୍କ ସ୍ବପ୍ନ ମଧ୍ୟ ପୂରଣ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିତି ଆୟୋଗ ବୈଠକରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି ଯେ ଯେତେବେଳେ ରାଜ୍ୟଗୁଡ଼ିକ ବଢ଼ନ୍ତି ସେତେବେଳେ ଭାରତ ଆଗକୁ ବଢ଼େ।
ବୈଠକରେ ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ ଏବଂ ଭିତ୍ତିଭୂମି ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟରେ ଏହି ଆଲୋଚନା ହୋଇଛି। ନିତି ଆୟୋଗର ପରିଚାଳନା ପରିଷଦର ପୂର୍ଣ୍ଣାଙ୍ଗ ବୈଠକ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଗତବର୍ଷ ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। କରୋନା ମହାମାରୀ ପାଇଁ ୨୦୨୦ ମସିହାରେ ଏହି ବୈଠକ ହୋଇ ନଥିଲା। ପରିଷଦର ପ୍ରଥମ ବୈଠକ ୨୦୧୫ ଫେବ୍ରୁଆରି ୮ରେ ହୋଇଥିଲା। ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରମଣ, ରାଜନାଥ ସିଂହଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/modi-ddd.jpg)