କଣ୍ଟେଣ୍ଟ କ୍ରିଏସନ୍‌ କ୍ଷେତ୍ରରେ ଭାରତ ବିଶ୍ବ ହବ୍‌ ହେବ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଦେଶରେ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ରରେ ଚାଲିଥିବା ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ)ର ପୋଷ୍ଟ ପ୍ରଡକ୍ସନ ହବ୍‌ରେ ପରିଣତ କରିବାକୁ ଦକ୍ଷତା ବହନ କରୁଛି।

ପୁଣେ ସ୍ଥିତ ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ବିଶ୍ୱବିଦ୍ୟାଳୟର ‘ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ-୨୦୨୨’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ବକ୍ତୃତା ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶରେ ଏବେ ଏଭିଜିସି କ୍ଷେତ୍ରରେ ଏକ ଦୃଢ ଡିଜିଟାଲ ମୂଳଦୁଆ ତିଆରି ହୋଇଛି। ଦେଶର ଓ ବିଶ୍ୱର ଆବଶ୍ୟକତା ପୂରଣ ପାଇଁ ବିଶ୍ୱସ୍ତରୀୟ ସର୍ଜନାତ୍ମକ ପ୍ରତିଭା ବିକଶିତ କରିବାକୁ ସରକାର ଏଭିଜିସି କ୍ଷେତ୍ର ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ମିଡିଆ ଓ ଏଂଟରଟେନମେଣ୍ଟ ଏକ ଦ୍ରୁତ ବିକାଶୋନ୍ମୁଖୀ ଉଦ୍ୟୋଗ ଯାହାର ଭବିଷ୍ୟତ ଉଜ୍ଜ୍ୱଳ। ଏହି ଉଦ୍ୟୋଗର ଆକାର ୨୦୨୫ ସୁଦ୍ଧା ବାର୍ଷିକ ୪ଲକ୍ଷ କୋଟି ଟଙ୍କା ଛୁଇଁବା ଆଶା କରାଯାଉଛି।

ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଆଗକୁ ରେଡିଓ, ଫିଲ୍ମ ଏବଂ ମନୋରଞ୍ଜନ ଉଦ୍ୟୋଗରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିଡିଓ ଏଡିଟିଙ୍ଗ, କଲର ଗ୍ରେଡିଂ, ଭିଜୁଆଲ ଇଫେକ୍ଟ, ସାଉଣ୍ଡ ଡିଜାଇନ, ରୋଟୋସ୍କେପିଙ୍ଗ ଓ ଥ୍ରୀଡି ମଡେଲିଂ ଆଦି କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇସାରିଲାଣି। ଏସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କୌଶଳ ଓ ଦକ୍ଷତାର ଆବଶ୍ୟକତା ରହିଛି। ଅତଏବ ଏହି କ୍ଷେତ୍ରର ଆବଶ୍ୟକତା ପୂରଣ କ୍ଷେତ୍ରରେ ଉଦ୍ୟୋଗ ଓ ଶିକ୍ଷା ତଥା ଗବେଷଣା ଅନୁଷ୍ଠାନମାନେ ଆଗେଇ ଆସିବା ଉଚିତ।

ଡିଜିଟାଲ ଇଣ୍ଡିଆର ସଫଳତା ମାଧ୍ୟମରେ ଭାରତର କଣ୍ଟେଣ୍ଟ କ୍ରିଏସନ (ବିଷୟବସ୍ତୁ ସୃଷ୍ଟି କରିବା) ଉଦ୍ୟୋଗ ଏକ ବଡ ପ୍ରୋତ୍ସାହନ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଉତ୍ତମ ମାନର ବିଷୟବସ୍ତୁ, ସହଜ ପହଂଚ ଓ ଆଗ୍ରହୀ ଶ୍ରୋତା/ଦର୍ଶକଙ୍କ ଉପସ୍ଥିତି ଭାରତକୁ ଏ କ୍ଷେତ୍ରରେ ତାହାର ସଫଳ କାହାଣୀ ବିଶ୍ୱ ସମୁଦାୟକୁ ଶୁଣାଇବାକୁ ପ୍ରସ୍ତୁତ ରହିଛି। ଏହା ଭାରତକୁ ବିଶ୍ୱର ଏକ ପ୍ରମୁଖ କଂଟେଂଟ ହବ୍‌ରେ ପରିଣତ କରିବାକୁ ଯାଉଛି ।

ଏହି ଜାତୀୟ ସମ୍ମିଳନୀରେ ଅସ୍କାର ବିଜୟୀ ସାଉଣ୍ଡ ଡିଜାଇନର ରେସୁଲ ପୁକୁଟ୍ଟୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଆନିମେସନ, ଭିଏଫ୍‌ଏକ୍ସ, ଗେମିଂ ଓ କମିକ୍ସ, ଓଟିଟି, ଟିଭି, ଫିଲ୍ମ ପ୍ରଡକ୍ସନ, ଅଗମେଣ୍ଟେଡ୍ ରିୟଲିଟି/ଭର୍ଚୁଆଲ ରିୟଲିଟି, ଇମର୍ସିଭ ମିଡିଆ ସ୍କିଲ ଆଦି ଉତ୍‌ଥାନମୁଖୀ କ୍ଷେତ୍ର ଓ ତାହାର ସୁଯୋଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର