ଏକବିଂଶ ଶତାଦ୍ଦୀ ହେବ ଭାରତର; ସବୁ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ସହ ଭାରତ ମେଣ୍ଟାଇବ ବିଶ୍ୱର ଚାହିଦା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଭାରତର କ୍ଷତି ଘଟାଇଛି ସତ; କିନ୍ତୁ ଭାରତ ପାଇଁ ମଧ୍ୟ ସୃଷ୍ଟି କରିଛି ନୂତନ ସୁଯୋଗ ଓ ସମ୍ଭାବନା। ଏକବିଂଶ ଶତାଦ୍ଦୀ ହେବ ଭାରତର। କାରଣ, ଏକବିଂଶ ଶତାବ୍ଦୀରେ ଏକ ବିଶ୍ୱଶକ୍ତି ରୂପେ ଉଭା ହେବା ପାଇଁ ଉଭୟ ଭାରତ ଓ ଭାରତୀୟଙ୍କ ମଧ୍ୟରେ କରୋନା ଏକ ନୂତନ ପ୍ରାଣଶକ୍ତିର ସଂଚାର କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେଣୁ, ଏହାକୁ ଏକ ସୁଯୋଗ ବୋଲି ବିବେଚନା କରି ଦେଶ ଓ ଦେଶବାସୀଙ୍କୁ ଆଗକୁ ବଢ଼ିବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଆଜି ସମଗ୍ର ବିଶ୍ୱକୁ ଧ୍ୱସ୍ତ, ବିଧ୍ୱସ୍ତ କରି ରଖି ଦେଇଥିବା ବେଳେ ବିଶ୍ୱର ୮୦ ପ୍ରତିଶତ ରାଷ୍ଟ୍ରରେ କରୋନାର ଚିକିତ୍ସା ଚାଲିଛି ଭାରତୀୟ ଔଷଧରେ। ଯେଉଁଥିପାଇଁ ବିଶ୍ୱର ସବୁ ପ୍ରାନ୍ତରୁ ଏବେ ଶୁଣିବାକୁ ମିଳୁଛି ଭାରତର ଜୟଜୟକାର। ତେଣୁ, କରୋନା ଜନିତ ପରିସ୍ଥିତିରେ ଡରି ନଯାଇ, ଦବି ନଯାଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। କରୋନା ଆମକୁ ଅନେକ କିଛି ଶିକ୍ଷା ଦେଇ ଯାଇଛି। ଆଉ ସେଇ ଶିକ୍ଷାକୁ ପାଥେୟ କରି ତାହାରି ଆଧାରରେ ଆମେ ଯଦି ଆଗକୁ ବଢ଼ି ପାରିବା, ତେବେ ଆମେ ହିଁ ହେବା ବିଶ୍ୱ ବିଜେତା।

କରୋନା ଆମକୁ ସବୁଠାରୁ ବଡ଼ ଯେଉଁ ଶିକ୍ଷାଟି ଦେଇଛି, ସେଇଟି ହେଉଛି ଆତ୍ମ ନିର୍ଭରଶୀଳତା। କରୋନା ସମଗ୍ର ବିଶ୍ୱକୁ ଲକ୍‌ଡାଉନ୍‌ ମଧ୍ୟରେ ବନ୍ଧକ ରଖି ଦେଇଥିବା ବେଳେ ଆମର ଆତ୍ମ ନିର୍ଭରଶୀଳତା ହିଁ ଆମକୁ ସବୁ କଠିନ ପରିସ୍ଥିତିରୁ ମୁକୁଳି ଆସିବାକୁ ଶକ୍ତି ଯୋଗାଇବା ସହ ସମର୍ଥ ମଧ୍ୟ କରିଛି। ଏହି ସତ୍ୟକୁ ହୃଦୟଙ୍ଗମ କରି ଆଗାମୀ ଦିନମାନଙ୍କରେ ଆମର ଆତ୍ମ ନିର୍ଭରଶୀଳତାକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବାକୁ ହେବ। ଆମ ନିକଟରେ ଆର୍ଥିକ ସମ୍ବଳ ଠାରୁ ଆରମ୍ଭ କରି ବିଶ୍ୱର ସର୍ବଶ୍ରେଷ୍ଠ ମାନବ ସମ୍ବଳ ପର୍ଯ୍ୟନ୍ତ ସବୁକିଛି ଉପଲବ୍ଧ ରହିଛି। ଏସବୁର ସଠିକ୍‌ ଉପଯୋଗ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର